ବଲିଉଡ ଅଭିନେତା ସୁନୀଲ ସେଟ୍ଟୀଙ୍କ ପୁଅ ଅହାନ ସେଟ୍ଟୀ ଅଭିନେତ୍ରୀ ତାରା ସୁତାରିଆଙ୍କ ସହିତ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି। ବର୍ତ୍ତମାନ ତାଙ୍କ ଫିଲ୍ମ ‘ତଡପ’ର ଟ୍ରେଲର ରିଲିଜ୍ ହୋଇଛି। ଏହାକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି। ଏହି ଅବସରରେ ସୁନୀଲ୍ ସେଟ୍ଟୀଙ୍କ ବନ୍ଧୁ ଅଭିନେତା ଅକ୍ଷୟ କୁମାର ଅହାନଙ୍କ ପ୍ରଦର୍ଶନକୁ ନେଇ ଖୁବ ତାରିଫ କରିଛନ୍ତି। ତାଙ୍କର ଏହି ଟ୍ୱିଟ୍ ଖୁବ ଭାଇରାଲ ହେବାରେ ଲାଗିଛି। ଅକ୍ଷୟ କୁମାର ଗୁରୁବାର ଏକ୍ ଟ୍ୱିଟ୍ କରି ଲେଖିଛନ୍ତି ଯେ “ଆରେ ସାଙ୍ଗ, ତୋ ପୁଅ ତ ତୋ ଠାରୁ ବି ଦଶ ପାଦ ଆଗରେ। ଏ କୋଉ ପ୍ରକାରର ହେରାଫେରୀ ରେ ଭାଇ। ‘ତଡପ’ର ଟ୍ରେଲର କ’ଣ ନ ହେଇଛି। ଅହାନଙ୍କୁ ବହୁତ ବହୁତ ସ୍ନହ ଆଉ ଶୁଭକାମନା।” ନିଜ ପୁଅ ପ୍ରତି ଅକ୍ଷୟ କୁମାରର ଏହି ପ୍ରଶଂସାକୁ ଦେଖି ସୁନୀଲ୍ ସେଟ୍ଟୀ ଚୁପ୍ ହୋଇ ରହିପାରୁ ନ ଥିଲେ। ଖିଲାଡି କୁମାରଙ୍କ ଟ୍ୱିଟ୍ର ପ୍ରତିକ୍ରିୟା ଦେଇ ସୁନୀଲ୍ ସେଟ୍ଟୀ କହିଥିଲେ ଯେ ବହୁ ବର୍ଷ ପୂର୍ବରୁ ଅକ୍ଷୟ କୁମାର ଯେଉଁ ଭବିଷ୍ୟବାଣୀ କରିଥିଲେ ତାହା ପୂରା ସତ ଥିଲା। ସୁନୀଲ ସେଟ୍ଟୀ ପ୍ରତିକ୍ରିୟା ଦେଇ ଲେଖିଛନ୍ତି ଯେ “ତୁମେ ହିଁ ପ୍ରଥମ ବ୍ୟକ୍ତି ଥିଲ ଯିଏ ବହୁ ବର୍ଷ ପୂର୍ବରୁ ତା’ ଫଟୋ ଦେଖି ମଙ୍ଗଳ କାମନା କରିଥିଲ ଓ ଭବିଷ୍ୟବାଣୀ କରିଥିଲ। ତୁମେ ସବୁବେଳେ ଯେଉଁ ସ୍ନେହ ଦେଇଚାଲିଛ ସେନେଇ ଧନ୍ୟବାଦ।” ଖାଲି ଅକ୍ଷୟ କୁମାର ନୁହେଁ ଅହାନଙ୍କ ଡେବ୍ୟୁ ଫିଲ୍ମକୁ ନେଇ ଶତାବ୍ଦୀର ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ଶୁଭେଚ୍ଛା ଜଣେଇଛନ୍ତି। ଟ୍ରେଲରରେ ଅହାନଙ୍କ ଚେହେରା ଦେଖି ପ୍ରଶଂସକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0