ମନି ଲଣ୍ଡରିଂ ଓ ବଟି ଆଦାୟ ମାମଲାରେ ଗିରଫ ହୋଇଥିବା ମହାରାଷ୍ଟ୍ରର ପୂର୍ବତନ ଗୃହ ମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି। ତାଙ୍କୁ ଆସନ୍ତା ୧୫ ତାରିଖ ଯାଏ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହେପାଜତକୁ ପଠାଇ ଦିଆଯାଇଛି। ଏହି ସମୟରେ ଇଡି ତାଙ୍କୁ ମନି ଲଣ୍ଡରିଂ ମାମଲାରେ ମାରାଥନ ଜେରା କରିବ। ଗତ ସପ୍ତାହରେ ଏହି ମାମଲାରେ ଇଡି ଶ୍ରୀ ଦେଶମୁଖଙ୍କୁ ଗିରଫ କରିଥିଲା। ନଭେମ୍ବର ୬ରେ ସ୍ୱତନ୍ତ୍ର ଅବସରକାଳୀନ କୋର୍ଟ ଇଡିର ରିମାଣ୍ଡ ଆବେଦନକୁ ଖାରଜ କରି ଅନୀଲ ଦେଶମୁଖଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। କିନ୍ତୁ ବମ୍ବେ ହାଇକୋର୍ଟ ତଳ କୋର୍ଟଙ୍କ ରାୟକୁ ପରିବର୍ତ୍ତନ କରି ତାଙ୍କୁ ନଭେମ୍ବର ୧୨ ଯାଏ ଇଡି ରିମାଣ୍ତରେ ଛାଡ଼ିଥିଲେ। ଆଜି ତାଙ୍କ ରିମାଣ୍ଡ ଅବଧି ବଢ଼ାଇବାକୁ ଇଡି କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲା। ଏହାକୁ ଦେଶମୁଖଙ୍କ ଓକିଲ ବିରୋଧ କରିଥିଲେ। ତେବେ ପିଏମଏଲଏ କୋର୍ଟର ବିଚାରପତି ଏଚଏସ୍ ସତଭାଇ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଦେଶମୁଖଙ୍କ ରିମାଣ୍ଡ ଅବଧିକୁ ୧୫ ତାରିଖ ଯାଏ ବୃଦ୍ଧି କରିଛନ୍ତି। ଗୃହମନ୍ତ୍ରୀ ଥିବା ବେଳେ ଶ୍ରୀ ଦେଶମୁଖଙ୍କ ବିରୋଧରେ ଲାଞ୍ଚ କାରବାର ଅଭିଯୋଗ ଆସିଥିଲା। ସେ ପୁଲିସ୍ ଜରିଆରେ ମାସକୁ ୧୦୦ କୋଟି ଟଙ୍କାର ବଟି ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିବା ମୁମ୍ବାଇର ପୂର୍ବତନ ପୁଲିସ୍ କମିଶନର ପରମବୀର ସିଂହ କହିଥିଲେ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0