ରାଜ୍ୟରେ ମଧୁର ଜଳ ମାଛ ଉତ୍ପାଦନ ବୃଦ୍ଧି ନିମନ୍ତେ ହୀରକୁଦ ଜଳଭଣ୍ଡାରର ପଞ୍ଜୁରୀ ଭିତରେ ମାଛ ଚାଷ କରିବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏଥି ପାଇଁ ପ୍ରଥମ ପର୍ଯ୍ୟାୟରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ହୀରାକୁଦ ଜଳଭଣ୍ଡାରକୁ ବଛା ଯାଇଛି । ଅଭିନବ ପ୍ରୟାସରେ ଓ ଜ୍ଞାନକୌଶଳ ମଧ୍ୟମରେ ପ୍ରଚୁର ମାଛ ଉତ୍ପାଦନ ହୋଇପାରିବା ସହ ରାଜ୍ୟରେ ମାଛର ଆବଶ୍ୟକତା ପୂରଣ ହୋଇପାରିବ ବୋଲି ସରକାର ଆକଳନ କରିଛନ୍ତି । ପଞ୍ଜୁରୀ ଭିତରେ ମାଛ ଚାଷ ନିମନ୍ତେ ହୀରାକୁଦ ଜଳଭଣ୍ଡାରକୁ ୫ଟି ଜୋନ୍, ଏବଂ ୧୦୦ଟି ସବ୍ ଜୋନ୍ରେ ବିଭକ୍ତ କରାଯାଇଛି । ଯେଉଁଥିରେ ପ୍ରାୟ ୨୪୦୦ ପଞ୍ଜୁରୀ ସ୍ଥାପନ କରାଯାଇପାରିବ । ଏହି ପଞ୍ଜୁରୀଗୁଡିକ ଜଳଭଣ୍ଡାରରେ ମାଛ ଚାଷ ନିମନ୍ତେ ଏକ ଆବଦ୍ଧ କ୍ଷେତ୍ର ଅଟେ । ସାଧାରଣତଃ ଏହା ଚାରି ଦିଗରୁ ଜାଲ ଦ୍ୱାରା ଆବଦ୍ଧ କରାଯାଏ ଏବଂ କେବଳ ଉପରି ଭାଗ ଖାଦ୍ୟ ପରିବେଶଣ ନିମନ୍ତେ ଖୋଲା ରଖାଯଏ । ସବୁ ଜୋନ୍ ଗୁଡିକ ମୁଖ୍ୟତଃ ପ୍ରାଥମିକ ମତ୍ସ୍ୟଜୀବୀ ସମିତି , ମତ୍ସ୍ୟ ଚାଷୀ, ଘରୋଇ ଉଦ୍ୟୋଗ ଏବଂ କମ୍ପାନିମାନଙ୍କୁ ଲିଜ୍ ଭାବରେ ପ୍ରଦାନ କରାଯିବ । ପ୍ରତ୍ୟେକ ସବ୍ଜୋନ୍ରେ ପଞ୍ଜୁରୀ ନିମନ୍ତେ ୬୦୦୦ ବର୍ଗ ମିଟର ପରିମିତ ଜଳଭାଗ ରହିବ ଏବଂ ସେଥିରେ ୬ ମିଟର ଲମ୍ବ, ୪ ମିଟର ପ୍ରସ୍ଥ, ୪ ମିଟର ଗଭୀରତା ବିଶିଷ୍ଟ ୨୪ଟି ଆୟତାକାର ପଞ୍ଜୁରୀ କିମ୍ବା ୧୬ ମିଟର ବ୍ୟାସ ବିଶିଷ୍ଟ ୩ଟି ଗୋଲାକାର ପଞ୍ଜୁରୀ ସ୍ଥାପନ କରାଯାଇ ପାରିବ । ଏଥିରେ ଭାକୁର, ରୋହି, ମିରିକାଳି, ଅମୁର କାର୍ପ, ଜଳଙ୍ଗ, ଏକଲିଙ୍ଗ ବିଶିଷ୍ଟ ଗିଫଟ୍ ଟିଲାପିଆ, ଭେକଟି, ଖୁରାଣ୍ଟ ଓ ବଟର କ୍ୟାଟ ଫିସ୍ ଇତ୍ୟାଦି ପ୍ରଜାତିର ମାଛ ଚାଷ ନିମନ୍ତେ ଅନୁମତି ପ୍ରଦାନ କରାଯିବ । ଏଥିସହ ମସô ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ମତ୍ସ୍ୟ ନିର୍ଦ୍ଦେଶଳାୟ ମାଧ୍ୟମରେ ଆଗ୍ରହୀ ମତ୍ସ୍ୟଚାଷୀ ଉଦ୍ୟୋଗ ମାନଙ୍କ ଠାରୁ ଲିଜ୍ ନିମନ୍ତେ ‘ଏକ୍ସପ୍ରେସନ ଅଫ୍ ଇଣ୍ଟ୍ରେଷ୍ଟ୍’ ମଗାଯାଇଛି । ଏ ବିଷୟରେ ସବିଶେଷ ତଥ୍ୟ ବିଭାଗରେ ୱେବ ସାଇଟ୍ରେ ଉପଲବ୍ଧ କରାଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0