spot_img

ବିବାଦୀୟ ମନ୍ତବ୍ୟ ଦେଲେ ଚିଲିକା ବିଧାୟକ

ବିବାଦୀୟ ମନ୍ତବ୍ୟ ଦେଲେ ଚିଲିକା ବିଧାୟକ ତୁମେ କହିବା ପାଇଁ ଏଠି ଖର୍ଚ୍ଚ ହୋଇନି। ଶୁଣିବା ପାଇଁ ଆସିଛ ଶୁଣ, ନ ହେଲେ ଘରକୁ ଯା । କଳି କରିବାକୁ ଏଠି ବ୍ୟବସ୍ଥା ନାହିଁ। ଭୋଟ ଦେଇଛ ବୋଲି କ’ଣ ଯାହା ଇଚ୍ଛା କହିବ । ” ଖଚାଖଚ ଲୋକ ଭର୍ତ୍ତି ସଭାରେ ଜଣେ ମହିଳାଙ୍କ ପ୍ରତି ଏପରି ଅଶାଳୀନ ମନ୍ତବ୍ୟ ଦେଇ ପୁଣି ଥରେ ବିବାଦକୁ ଠେଲି ହୋଇ ଯାଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ନିଜ ବିଶୃଙ୍ଖଳିତ ଆଚରଣ ପାଇଁ ବିଜେଡିରୁ ନିଲମ୍ବିତ ହୋଇ ସାରିଥିଲେ ବି ଚେତୁ ନାହାନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଛାଡ଼ି ପାରୁ ନାହାନ୍ତି ପୁରୁଣା ଅଭ୍ୟାସ। ଚିଲିକା ବିଧାୟକଙ୍କ ଏକ ଭିଡିଓ ଭାଇରାଲ ହେଉଥିବା ବେଳେ ସେଥିରେ ସେ ସଭାରେ ଜଣେ ମହିଳାଙ୍କୁ ଅଶାଳୀନ ମନ୍ତବ୍ୟ ଦେଉଥିବା ଶୁଣିବାକୁ ମିଳୁଛି। ଯାହାକୁ ନେଇ ଜୋର ଧରିଛି ଆଲୋଚନା।ଗତ ୧୨ ତାରିଖରେ ବାଣପୁର ବ୍ଲକ୍ ନନ୍ଦପୁର ପଞ୍ଚାୟତର ମେଘାମ୍ବରୀ ମନ୍ଦିର କଲ୍ୟାଣ ମଣ୍ଡପରେ ଚିଲିକା ବିଧାୟକ ଏକ ରାଜନୈତିକ ସଭା କରିଥିଲେ ।  ସେହି ସଭାରେ ବିଧାୟକଙ୍କୁ  ମହିଳାଜଣକ ପ୍ରଶ୍ନ କରିବାକୁ ଚାହିଁବାରୁ ଚିହଁକି ଉଠି ମନଇଚ୍ଛା ଇଆଡୁ ସିଆଡୁ କହିଥିଲେ ବିଧାୟକ ।   ଏପରିକି ଜଣେ ଲୋକ ପ୍ରତିନିଧୀଙ୍କୁ ଜଣେ ଭୋଟର ପ୍ରଶ୍ନ ପଚାରିଲେ ଏପରି ପ୍ରତିକ୍ରିୟା ଦେଖାଯିବା ହୁଏତ ପ୍ରଥମ ।ଏପରିକି ଏହି ଭିଡିଓ ଉତ୍ତୋଳନ କରୁଥିବା ଜଣେ ଲୋକଙ୍କ ମୋବାଇଲ ବିଧାୟକ ଛଡ଼ାଇ ନେଇଥିବାର ଭିଡିଓ ବି ରହିଛି । ସେପଟେ ଏନେଇ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।ସୂଚନାଯୋଗ୍ୟ, ୨୦୧୪ରୁ ବିଜେଡି ଟିକେଟରେ ବିଧାୟକ ହେବାପରେ ଶ୍ରୀ ଜଗଦେବ ବିଭିନ୍ନ ସମୟରେ  ନିଜର ଦବଙ୍ଗଗିରି ଦେଖାଇ ବିବାଦରେ ରହିଆସିଥିଲେ। କେଉଁଠି ସରକାରୀ ଅଧିକାରୀଙ୍କୁ ମାଡ଼ ତ କେଉଁଠି ସେ ଉଠାଦେକାନୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବାର ଦେଖିବାକୁ ମିଳିଥିଲା। କିନ୍ତୁ ସେତେବେଳେ ତାଙ୍କ ବିରୁଦ୍ଧରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା ବିଜେଡି ।ହେଲେ ବାଲୁଗାଁ ନଗର ମଣ୍ଡଳ ବିଜେପି ସଭାପତି ନିରଞ୍ଜନ ସେଠୀଙ୍କୁ ବିଚ୍ ରାସ୍ତାରେ ମାଡ଼ ମାରିବା ତାଙ୍କୁ ମହଙ୍ଗା ପଡ଼ିଲା।  ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧାଡ଼ିକିଆ ନିର୍ଦ୍ଦେଶନାମାରେ ଶ୍ରୀ ଜଗଦେବଙ୍କୁ ଦଳରୁ ନିଲମ୍ବନ କରିଦେଲେ। ତାଙ୍କୁ ନିଲମ୍ବନ କରାଯିବାର କାରଣ ସମ୍ପର୍କରେ ମଧ୍ୟ କିଛି ଉଲ୍ଲେଖ କରାଗଲା ନାହିଁ। କେବଳ ସେତିକି ନୁହେଁ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପକ୍ଷରୁ ମଧ୍ୟ ବରଖାସ୍ତ କରି ଦିଆଗଲା। ଏହାସତ୍ତ୍ୱେ ଚେତୁ ନାହାନ୍ତି ବିଧାୟକ ଜଗଦେବ । ତାଙ୍କ ପୁରୁଣା ଅଭ୍ୟାସ ଆଗକୁ ତାଙ୍କୁ କି ପ୍ରକାର  ସମସ୍ୟାରେ ପକାଇବ ତାହା ସମୟ କହିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular