ଅମିତ ଶା, ପିଷୟୁ ଗୋୟଲ, ନିତେନ ଗଡ଼କରୀ ଓ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନାଁରେ ଟିକା ପ୍ରମାଣପତ୍ର ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ପ୍ରଦାନ କରାଯାଇଛି । ଉତ୍ତର ପ୍ରଦେଶର ଇଟାୱା ଜିଲ୍ଲାର ତକହା ତହସିଲ ଥିବା ଗୋଟିଏ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏପରି ପ୍ରମାଣପତ୍ର ଇସ୍ୟୁ କରାଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। ଘଟଣାକୁ ମୁଖ୍ୟ ମେଡିକାଲ ଅଧିକାରୀ ଷଡ଼ଯନ୍ତ୍ର ଭାବେ ଅବିହିତ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ନୀତୀନ ଗଡ଼କରୀ ଓ ପୀୟୂଷ ଗୋୟଲଙ୍କ ନାଁ ସହ ମେଳ ଖାଉଥିବା ନାଁ ଗୁଡ଼ିକ ଟିକା ପ୍ରମାଣପତ୍ରରେ ରହିଛି। କେବଳ ବନାନରେ ସାମାନ୍ୟ ଓଲଟ ପାଲଟ ହୋଇଛି। ନକଲି ଟିକା ପ୍ରମାଣପତ୍ରରେ ଅମିତ ଶାଙ୍କ ବୟସ ୩୩ ବର୍ଷ ରହିଥିବା ବେଳେ ନୀତେନ ଗଡକରୀଙ୍କ ବୟସ ୩୦ ବର୍ଷ ବୋଲି ଉଲ୍ଲେଖ କରାଯାଇଛି। ସେହିପରି ଗୋୟଲଙ୍କ ବୟସ ୩୭ ଓ ଓମ ବିର୍ଲାଙ୍କ ବୟସ ଟିକା ପ୍ରମାଣପତ୍ରରେ ୨୬ ବର୍ଷ ଲେଖାଯାଇଛି।ଏହି ବ୍ୟକ୍ତିମାନେ ଇଟାୱା ଜିଲ୍ଲାର ସରସାଇନାୱାର ସିଏଚସି-୧ରେ ଡିସେମ୍ବର ୧୨ ତାରିଖରେ କରୋନା ଟିକାର ପ୍ରଥମ ଡୋଜ୍ ସଫଳତାର ସହ ନେଇଥିବା ପ୍ରମାଣପତ୍ରରେ ଲେଖାଯାଇଛି। ସେହିପରି ୨୦୨୨ ମସିହା ମାର୍ଚ୍ଚ ୫ରୁ ଏପ୍ରିଲ ୩ ମଧ୍ୟରେ ସମସ୍ତ ହିତାଧିକାରୀ କରୋନା ଟିକାର ଦ୍ୱିତୀୟ ଡୋଜ୍ ନେବେ ବୋଲି କୁହାଯାଇଛି।ଟିକା ପ୍ରମାଣପତ୍ର ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ୟ୍ୟ ହୋଇଛନ୍ତି। ତେବେ ଉକ୍ତ ପ୍ରମାଣପତ୍ରରେ ଉଲ୍ଲେଖ ଥିବା ଟିକା ୧୨ ତାରିଖ ଦିନ ସ୍ୱାସ୍ଥ୍ୟକେନ୍ଦ୍ରରେ ଦିଆଯାଇ ନଥିବା କୁହାଯାଇଛି। ସ୍ୱାସ୍ଥ୍ୟକେନ୍ଦ୍ରର ଇନଚାର୍ଜ କହିଛନ୍ତି, “ଡିସେମ୍ବର ୧୨ରେ ଆମ ଆଇଡି ହ୍ୟାକ ହୋଇଥିଲା। ଏହି ଆଇଡିକୁ ବନ୍ଦ କରିବାକୁ ଆମେ ଅଧିକାରୀମାନଙ୍କୁ ଚିଠି ଲେଖିଥିଲୁ।”ସିଏମଓ ଡା ଭଗବାନ ଦାସ କହିଛନ୍ତି, ଏହା କାହାର ଗୋଟିଏ ଷଡ଼ଯନ୍ତ୍ର ଭଳି ମନେହେଉଛି। କେନ୍ଦ୍ରମନ୍ତ୍ରୀମାନଙ୍କ ନାଁ କେହି ଜାଣିଶୁଣି ଟିକା ପ୍ରମାଣପତ୍ରରେ ଉଲ୍ଲେଖ କରିବା ଭଳି ମନେହେଉଛି। ଘଟଣାର ତଦନ୍ତ ପାଇଁ ଗୋଟିଏ ଉଚ୍ଚସ୍ତରୀୟ ଟିମ ଗଠନ ହୋଇଛି। ଖୁବଶୀଘ୍ର ଘଟଣାର ପର୍ଦ୍ଦାଫାସ ହେବ ବୋଲି ସେ କହିଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0