ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା’ର ଉଦଘାଟନ କରିଛନ୍ତି। ଏହା ଦ୍ୱାରା ଅପହଞ୍ଚ ଅଞ୍ଚଳର ଲୋକଙ୍କୁ ବି ସଠିକ ସ୍ୱାସ୍ଥ୍ୟସେବା ମିଳିବ। ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର, କଟକର ବଡ଼ ହସ୍ପିଟାଲକୁ ଆସିବାକୁ ପଡ଼ିବନି। ସେମାନଙ୍କୁ ସେମାନଙ୍କ ଜିଲ୍ଲା ଚିକିତ୍ସାଳୟରେ ହିଁ ବିଶେଷଜ୍ଞ ଡାକ୍ତରଙ୍କ ଦ୍ବାରା ଚିକିତ୍ସା ଯୋଗାଇ ଦିଆଯିବ। ଏଥିପାଇଁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା’ ଆରମ୍ଭ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା ଏବେ ଚାରିଟି ଜିଲ୍ଲା ଯଥା ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡିରେ ଆରମ୍ଭ ହେବ। ଏହି ଚାରିଟି ଜିଲ୍ଲାରେ ଲୋକଙ୍କୁ ଗୁଣାତ୍ମକ ଚିକିତ୍ସା ଯୋଗାଇବା କଷ୍ଟକର ହେଉଥିବାରୁ ଏବଂ ବହୁ ଡାକ୍ତର ସେଠାରେ ରହିବାକୁ ରାଜି ହେଉନଥିବାରୁ ଏହି ଯୋଜନା ଦ୍ବାରା ଗୁଣାତ୍ମକ ଚିକିତ୍ସା ଯୋଗାଇହେବ। ଏହି ଯୋଜନାରେ ଜଣେ ଗୁରୁତର ଅସୁସ୍ଥ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ କେଉଁ କେଉଁ ବିଶେଷଜ୍ଞ ଡାକ୍ତର ଆବଶ୍ୟକ ସେନେଇ ଏକ ତାଲିକା ପ୍ରସ୍ତୁତ କରି ସ୍ବାସ୍ଥ୍ୟ ବିଭାଗକୁ ପଠାଯିବ। ଏଠାରୁ ପୂର୍ବରୁ ସ୍ବତନ୍ତ୍ର ଡାକ୍ତରୀ ଦଳରେ ସାମିଲ୍ ହୋଇଥିବା ଡାକ୍ତରମାନଙ୍କ ମଧ୍ୟରୁ ଆବଶ୍ୟକ ଡାକ୍ତରଙ୍କୁ ତୁରନ୍ତ ହେଲିକପ୍ଟରରେ ପଠାଯିବ। ସେମାନେ ଅପରେସନ୍ ବା ଚିକିତ୍ସା କରିବା ପରେ ଭୁବନେଶ୍ବର ଫେରିଆସିବେ। ଏବେ ଏସ୍ସିବିର କିଛି ଡାକ୍ତରଙ୍କୁ ନେଇ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ ହୋଇଛି। ପରେ ଏମକେ ସିଜି, ବୁର୍ଲା ଏବଂ ବିଏସ୍ କେୱାଇ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଘରୋଇ ଡାକ୍ତରଙ୍କୁ ବି ଏହି ସ୍ବତନ୍ତ୍ର ଡାକ୍ତରୀ ଦଳରେ ସାମିଲ୍ କରାଯିବ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0