ଶିକାର କରିବାକୁ ଆସି ଫସିଗଲା ଶିକାରୀ ।
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଇନ୍ଦୁପୁରସ୍ଥିତ ବିରୂପା ନଦୀରେ ପ୍ରାୟ ଚାରି ବର୍ଷହେବ ଏକ କୁମ୍ଭୀର ଆସି ରହିଥିଲା । ଗତ ଅକ୍ଟୋବର ମାସରେ ଜଣେ ଗାଇ ଜଗୁଆଳି ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିବା ଖବର ଶୁଣିବାକୁ ମିଳିଥିଲା । ଏହାସହ ଉକ୍ତସ୍ଥାନରେ ଅନେକ ପଶୁକୁ ଟାଣିନେଇ ଖାଇଦେବା ମଧ୍ୟ ଅଭିଯୋଗ ନଜିର ରହିଛି । ତେବେ କୁମ୍ଭୀରକୁ ଆୟତ୍ତ କରିବା ପାଇଁ ଯେତେ ପ୍ରୟାସ କରାଯାଇଥିଲେ ମଧ୍ୟ ସେ ଧରା ଦେଇନଥିଲା ।
କିନ୍ତୁ ଗତକାଲି କୁମ୍ଭୀରଟି ଶିକାର କରିବାକୁ ଆସି ନିଜେ ଶିକରୀ ଜାଲରେ ଫସିଯାଇଛି । ସକାଳେ ସେ ଏକ ଘୁଷୁରିକୁ ଟାଣି ନେଇଥିଲା । ପରେ ଘୁଷୁରୀକୁ ଅଧାଖିଆ କରି ଛାଡି ପଳାଇଥିଲା । ଘୁଷୁରି ଜଗୁଆଲ ବିଭୁତି ଏହାକୁ ଦେଖିବା ପରେ ସେହି ମୃତ ଘୁଷୂରିକୁ ନେଇ ଖାଲରେ ରଖି ଫାସ ବସାଇଥିଲେ । ପୁଣି ସଂନ୍ଧାରେ କୁମ୍ଭୀର ସେହି ଘୁଷୁରି ଖାଇବା ପାଇଁ ଆସିଥିଲା । ହେଲେ ଫେରିବା ବେଳେ ଘୁଷୁରି ଜଗୁଆଳି ମାଟି ପକାଇ ରାସ୍ତା ଅବରୋଧ କରିଦେଇଥିଲେ । ଫଳରେ କୁମ୍ଭୀରଟି ଖାଲଭିତରେ ଫଶି ଯାଇଥିଲା । ଖବର ପାଇ କୁମ୍ଭୀରକୁ ଦେଖିବା ପାଇଁ ଉକ୍ତ ଅଞ୍ଚଳରେ ଲୋକଙ୍କ ଭିଡ଼ ଜମିଥିଲା ।