କୋଭିଡ ୱାର୍ଡରେ ଲାଗିଲା ନିଆଁ
ବର୍ଦ୍ଧମାନ: ପଶ୍ଚିମବଙ୍ଗର ବର୍ଦ୍ଧମାନରେ ଥିବା ମେଡିକାଲ କଲେଜର କୋଭିଡ ୱାର୍ଡରେ ଅଗ୍ନିକାଣ୍ଡ ଘଟିଛି। ଏଠାରେ କରୋନା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଥିବା ବେଳେ ହଠାତ୍ ନିଆଁ ଲାଗି ଯାଇଥିଲା। ସୂଚନା ଅନୁଯାୟୀ, ଶନିବାର ଭୋର ସମୟରେ ବର୍ଦ୍ଧମାନ ମେଡିକାଲ କଲେଜ ଓ ହସ୍ପିଟାଲର ରାଧାରାଣୀ ୱାର୍ଡରେ ପ୍ରଥମେ ଅଗ୍ନିକାଣ୍ଡ ଘଟିଥିଲା। ଏହାପରେ ନିଆଁ ୱାର୍ଡ ନିକଟରେ କରୋନା ଚିକିତ୍ସା ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ୱାର୍ଡକୁ ବ୍ୟାପି ଯାଇଥିଲା। ଅଗ୍ନିକାଣ୍ଡ ଘଟଣାରେ ଜଣେ ରୋଗୀଙ୍କ ମୃତ୍ୟୁ ମଧ୍ୟ ଘଟିଛି। ମୃତ ରୋଗୀ ଜଣଙ୍କ ହେଲେ ୬୦ ବର୍ଷୀୟ ସନ୍ଧ୍ୟା ରୟ। ତାଙ୍କ ଘର ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ବୋଲି ଜଣାପଡ଼ିଛି।
ନିଆଁ ଭୟଙ୍କର ରୂପ ଧାରଣ କରିବା ପୂର୍ବରୁ ସେଠାରେ ଉପସ୍ଥିତ ଥିବା ରୋଗୀଙ୍କ ପରିବାର ଲୋକ ଏହାକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଏହାପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲା। ଦୀର୍ଘ ୧ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁକୁ କର୍ମଚାରୀମାନେ ଆୟତ୍ତ କରିଥିଲେ। ଏଥିସହ ୱାର୍ଡରେ ଚିକିତ୍ସିତ ହେଉଥିବା ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ନିଆଁ ଲାଗିବା ବେଳେ ୱାର୍ଡରେ କେତେ ଜଣ ରୋଗୀ ଥିଲେ, ତା’ର ତଥ୍ୟ ମିଳିନି।
ନିଆଁ ଲାଗିବାର କାରଣ ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ତେବେ ପୂରା ଘଟଣାର ତଦନ୍ତ ପାଇଁ ୫ ଜଣିଆ କମିଟି ଗଠନ କରାଯାଇଛି। ଘଟଣାର ଫରେନ୍ସିକ ଯାଞ୍ଚ ମଧ୍ୟ ହେବ ବୋଲି ବର୍ଦ୍ଧମାନ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରିନ୍ସିପାଲ ସୂଚନା ଦେଇଛନ୍ତି।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0