ନୂଆଦିଲ୍ଲୀ: ପ୍ରାୟ ୧୩୦୦୦ ସାଟେଲାଇଟ୍ ଉତ୍କ୍ଷେପଣ କରି ଗୋଟାଏ ‘ବିଶାଳ କୃତ୍ରିମ ଉପଗ୍ରହ ପୁଞ୍ଜ’ ପାଇଁ ଚୀନ୍ର ଯୋଜନା ସମ୍ପ୍ରତି ନିରାପତ୍ତା ବିଶେଷଜ୍ଞମାନଙ୍କୁ ଆତଙ୍କିତ କରିଛି। ଏହା ପୃଥିବୀ ପୃଷ୍ଠ ଠାରୁ ଅଳ୍ପ ଉଚ୍ଚ କକ୍ଷପଥରେ ପ୍ରଦକ୍ଷଣ କରିବା ଜଣାପଡିଛି । ‘ସ୍ପେସ୍ଏକ୍ସ୍’ର ‘ଷ୍ଟାର୍ଲିଙ୍କ୍’ ସଦୃଶ ହେବାକୁ ଥିବା ଏହି ‘ବିଶାଳ କୃତ୍ରିମ ଉପଗ୍ରହ ପୁଞ୍ଜ’କୁ ଚୀନ୍ ଗୁପ୍ତଚର କାର୍ଯ୍ୟକଳାପରେ ନିୟୋଜନ କରିପାରେ ବୋଲି ସମସ୍ତଙ୍କର ଆଶଙ୍କା ହେଉଛି।
ସୂଚନାଯୋଗ୍ୟ, ‘ସ୍ପେସ୍ଏକ୍ସ୍’ର ‘ଷ୍ଟାର୍ଲିଙ୍କ୍’ରେ ପ୍ରାୟ ୨୦୦୦ ସାଟେଲାଇଟ୍ ରହିଛି। କିନ୍ତୁ, ଚୀନ୍ କହିବା ଅନୁସାରେ, ଏହା ‘ଚାଇନିଜ୍ ୫ଜି ମୋବାଇଲ୍ ଇଣ୍ଟର୍ନେଟ୍’ ଲାଗି ଉପଯୋଗ କରାଯିବ। ଚୋଙ୍ଗ୍କ୍ବିଙ୍ଗ୍ ସହରରେ ଥିବା କେତେକ ପ୍ରତିଷ୍ଠାନକୁ ଏହି ଯୋଜନା ଆରମ୍ଭ କରିବାକୁ ବରାଦ ଦିଆଯାଇଛି। କିନ୍ତୁ, ଏହା ଠିକ୍ କେଉଁ ନେଟ୍ୱାର୍କକୁ କଭର୍ କରିବ କିଂବା କିଭଳି କାମ କରିବ ସେ ସଂକ୍ରାନ୍ତରେ ସୁସ୍ପଷ୍ଟ ତଥ୍ୟାବଳୀ ମିଳିନାହିଁ। କିନ୍ତୁ, ବୈଶ୍ବିକ ଯୋଗାଯୋଗ ମଧ୍ୟରେ ରହିଥିବା ସ୍ଥାନ ପୂରଣ ଏବଂ ଗ୍ରାମୀଣ ଅଞ୍ଚଳରେ ସେବା ଯୋଗାଇବା ଏହି ଯୋଜନାର ଉଦ୍ଦେଶ୍ୟ ବୋଲି କୁହାଯାଉଛି।
ସମ୍ପ୍ରତି ବିଶ୍ବରୁ ମହାଶୂନ୍ୟକୁ ଡାଟା ପ୍ରବାହ କରାଇବାକୁ ‘ଫ୍ରିକ୍ବେନ୍ସି’ ପାଇଁ ଆନ୍ତର୍ଜାତିକ ସ୍ତରରେ ଦେଖା ଦେଇଥିବା ତତ୍ପରତାରେ ଚିନ୍ତିତ ହୋଇ ଚୀନ୍ ଏହି ଯୋଜନା ତ୍ବରାନ୍ବିତ କରୁଛି। ମାତ୍ର ମହାକାଶ କ୍ଷେତ୍ରରେ ଚୀନ୍ ଯାହା କଲେ ବି ନିରାପତ୍ତା ବିଶେଷଜ୍ଞମାନେ ଚିନ୍ତିତ ହୋଇପଡୁଛନ୍ତି। ପୃଥିବୀ ପୃଷ୍ଠକୁ ମୁହଁ କରି କକ୍ଷପଥରେ ପ୍ରଦକ୍ଷଣ କରିଥବାକୁ ଥିବା ଏତେ ସଂଖ୍ୟକ ସାଟେଲାଇଟ୍କୁ ଚୀନ୍ ଆହୁରି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଉପଯୋଗ କରିପାରିବ ବୋଲି ସେମାନଙ୍କର ମନେହେଉଛି। ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ସହ ଚୀନ୍ର ସମ୍ପର୍କ ତିକ୍ତ ହୋଇଥିବାରୁ ଏହି ‘ବିଶାଳ କୃତ୍ରିମ ଉପଗ୍ରହ ପୁଞ୍ଜ’କୁ ଚୀନ୍ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ତା’ର ମିତ୍ର ରାଷ୍ଟ୍ରଙ୍କ ବିପକ୍ଷରେ ଗୁପ୍ତଚର କାର୍ଯ୍ୟରେ ଲଗାଇପାରେ ବୋଲି ସେମାନେ ଆଶଙ୍କା କରୁଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0