ପଡିଆ ହେଉ କି ପରଦା, କ୍ରିକେଟ ଦେଖିବା ବେଳେ ଆଉ ଶୁଭିବନି ଧୋନୀ ଧୋନୀର ନାରା । ଦିନିକିଆ ହେଉ କି ଟି-୨୦ ଭାରତୀୟ ଜର୍ସି ପିନ୍ଧି ପଡିଆକୁ ଆଉ ଓହ୍ଲାଇବେନି ମାହି । ମିଷ୍ଟର କୁଲଙ୍କୁ ଆଉ କେଉଁଠି ଦେଖିବେ ଦର୍ଶକ? କାହିଁକି ନେଲେ ହଠାତ୍ ନିଷ୍ପତ୍ତି? ସନ୍ଧ୍ୟା ୭.୨୯ମିନିଟରେ ଅବସରର କ’ଣ ରହିଛି ରହସ୍ୟ? କୋଟି କୋଟି କ୍ରିକେଟ ପ୍ରେମୀଙ୍କୁ କାହିଁକି ଏମିତି ଝଟକା ଦେଇଛନ୍ତି ମହେନ୍ଦ୍ର ସିଂହ ଧୋନୀ ? ତାଙ୍କ ଅବସର ପରେ ସହଯୋଗୀମାନଙ୍କ ଉପରେ କଣ ପଡିଛି ପ୍ରଭାବ? ଆନ୍ତର୍ଜାତୀୟ କ୍ରିକେଟ ଦଳରେ କ’ଣ ତାଙ୍କ ଜାଗା ରହିବ ଅକ୍ଷୁର୍ଣ୍ଣ ? ଏମିତି ତମାମ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ତାଙ୍କ ପ୍ରଶଂସକ । ମାହି, ମହେନ୍ଦ୍ର ସିଂହ ଧୋନୀ କୁହନ୍ତୁ କି ମିଷ୍ଟର କୁଲ । ଭାରତର ପ୍ରତ୍ୟେକଟି ହୃଦୟରେ ଯେମିତି ତାଙ୍କ ପାଇଁ ରହିଛି ଏକ ସ୍ୱତନ୍ତ୍ର ସ୍ଥାନ । ଶନିବାର ସନ୍ଧ୍ୟା ୭.୨୯ ମିନିଟରେ ସେ ଅନ୍ତର୍ଜାତୀୟ କ୍ରିକେଟ ଖେଳରୁ ଅବସର ଗ୍ରହଣ କରିଥିବା କଥା ଜଣାଇଛନ୍ତି । ଏନେଇ ସେ ତାଙ୍କ ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ କରିଛନ୍ତି । ମାତ୍ର ଆଇପିଏଲ ଖେଳିବା ପାଇଁ ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ଦେଶ ଯେତେବେଳେ ୭୪ତମ ସ୍ୱାଧୀନତା ଦିବସ ପାଳନ କରୁଥିଲା ହଠାତ୍ ଧୋନୀଙ୍କ ଏ ଘୋଷଣା ସମସ୍ତଙ୍କୁ ଚକିତ କରିଦେଇଛି ।

ମହେନ୍ଦ୍ର ସିଂହ ଧୋନୀ ଭାରତୀୟ ଜାତୀୟ କ୍ରିକେଟ ଦଳରେ ୨୦୦୭ ରୁ ୨୦୧୬ ଏବଂ ଟେଷ୍ଟ କ୍ରିକେଟ ମ୍ୟାଚ ପାଇଁ ୨୦୦୮ ରୁ ୨୦୧୪ ପର୍ଯ୍ୟନ୍ତ କ୍ୟାପଟେନ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ସମୟ ଭିତରେ ସେ ଭାରତୀୟ କ୍ରିକେଟ ଟିମ୍ କୁ ଖୁବ୍ ସମ୍ମାନିତ କରିବା ସହ ଭାରତକୁ ଖେଳ ଜଗତରେ ଗୈାରବାନ୍ୱିତ କରିଛନ୍ତି । ତାଙ୍କ ଅଧୀନାୟିକତ୍ୱ ସମୟରେ ଭାରତ ଆଇସିସି ୱାର୍ଲ୍ଡକପ୍ ଟୋଣ୍ଟି-୨୦ -୨୦୦୭, ଏସିଆ କପ୍ ୨୦୧୦ ଓ ୨୦୧୬, ଆଇସିସି କ୍ରିକେଟ ୱାର୍ଲ୍ଡକପ୍ ୨୦୧୧ ଏବଂ ଆଇସିସି ଚମ୍ପିଆନ୍ ଟ୍ରଫି ୨୦୧୩ ବିଜୟତା ହୋଇଥିଲା । ଦକ୍ଷିଣ ହସ୍ତ ବ୍ୟାଟସମ୍ୟାନ ତଥା ୱିକେଟ କିପର ଧୋନୀ ଜଣେ ସର୍ବବୃହତ ଆନ୍ତର୍ଜାତୀୟ ଖେଳାଳି ଭାବେ ପରିଚିତ । ଆନ୍ତର୍ଜାତୀୟ ୱାନ ଡେ ମ୍ୟାଚରେ ହାୟର ସ୍କୋର କରିଥିବା କ୍ରିକେଟର ତାଲିକାରେ ସେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ।

ମହେନ୍ଦ୍ର ସିଂହ ଧୋନୀ କ୍ରିକେଟ ଜଗତରେ ନିଜର ସଫଳତା ପାଇଁ ବହୁ ପଦ ପଦବୀରେ ସମ୍ମାନିତ ହୋଇଛନ୍ତି । ଆଇସିସି ଓଡିଆଇ ପ୍ଲେୟାର ଅଫ୍ ଦ ଇୟର ଆୱାର୍ଡ- ୨୦୦୮ ଏବଂ ୨୦୦୯ , ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ୨୦୦୭, ୨୦୦୯ରେ ପଦ୍ମଶ୍ରୀ ଏବଂ ୨୦୧୮ରେ ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଆଇସିସି ୱାର୍ଲ୍ଡର ଏକାଦଶ ୱାନଡେ ଇଣ୍ଟରନେସନାଲସ୍ରେ ସେ ୮ ଥର ଖେଳିଥିବା ବେଳେ ୫ଥର କ୍ୟାପଟେନସିପ୍ କରିଛନ୍ତି । ସେ ଦ ଇଣ୍ଡିଆନ ଟେରିଟୋରିଆଲ୍ ଆର୍ମି ତରଫରୁ ଲେପଟନାଟ କର୍ଣ୍ଣଲେ ଭାବେ ନଭେମ୍ବର ୧, ୨୦୧୧ ରେ ସମ୍ମାନିତ ହୋଇଛନ୍ତି । କପିଳ ଦେବଙ୍କ ପରେ ସେ ଦ୍ୱିତୀୟ କ୍ରିକେଟର ଭାବେ ଏହି ପଦରେ ସମ୍ମାନିତ ପାଇଛନ୍ତି । ୨୦୧୨ରେ ସ୍ପୋର୍ଡସପ୍ରୋ ଧୋନୀଙ୍କୁ ଦୁନିଆର ସବୁଠାରୁ ମୂଲ୍ୟବାନ ଆର୍ଥଲେଟ୍ ଭାବେ ଘୋଷଣା କରିଥିଲା । ଧୋନୀ ଇଣ୍ଡିଆନ ସୁପର ଲିଗ ଟିମ ଚେନ୍ନାଇୟିନ ଏଫସିରେ ସହ-ମାଲିକ ମଧ୍ୟ ଅଛନ୍ତି । ଜୁନ୍ ୨୦୧୫ରେ ବିଶ୍ୱର ସବୁଠାରୁ ମୂଲ୍ୟବାନ ଖେଳାଳି ତାଲିକାର ୨୩ତମ ସ୍ଥାନରେ ସେ ଉପନୀତ ହୋଇଥିଲେ ।

ରାଞ୍ଚିର ଗୋଟିଏ ମଧ୍ୟବିତ୍ତ ପରିବାରରେ ଜୁଲାଇ ୭ ତାରିଖ ୧୯୮୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଧୋନୀ । ପିଲାବେଳୁ ଖେଳ ପ୍ରତି ଥିବା ଦୁର୍ବଳତା ତାଙ୍କୁ ଆଜି ବିଶ୍ୱ ଦରବାରରେ ପରିଚିତ କରାଇଛି । ଖଡକପୁର ଷ୍ଟେସନରେ ଟିଟିଆଇ କାମ କରୁଥିବା ବେଳେ ହଠାତ୍ ସେ ତାଙ୍କ ଲକ୍ଷ୍ୟ କ୍ରିକେଟ ବୋଲି ଅନୁମାନ କରିଥିଲେ । ତା ପରେ ସେ ଆଉ ପଛକୁ ଫେରିନାହାନ୍ତି । ଡିସେମ୍ବର ୨୦୦୪ରେ ସେ ନିଜ କ୍ୟାରିୟରର ପ୍ରଥମ ଓା୍ୱନ ଡେ ମ୍ୟାଚ ବାଙ୍ଗଲାଦେଶରେ ଖେଳିଥିଲେ । ତାର ଠିକ୍ ଗୋଟିଏ ବର୍ଷ ପରେ ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଟିମ୍ ତରଫରୁ ଟେଷ୍ଟ ମ୍ୟାଚ ଖେଳିବା ପାଇଁ ସୁଯୋଗ ପାଇଥିଲେ । ପରେ ସେ ପାହଚ ପରେ ପାହଚ ଚଢିଥିଲେ । ୨୦୧୬ରେ ‘ଏମଏସ୍ ଧୋନୀ: ଦ ଅନଟୋଲ୍ଡ ଷ୍ଟୋରୀ’ ନାମରେ ଏକ ଫିଲ୍ମ ପ୍ରସ୍ତୁତ କରାଯାଇଛି । ଯାହା ତାଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏକ ବାୟୋପିକ୍ ଅଟେ । ଏହି ଫିଲ୍ମରେ ତାଙ୍କ ଜୀବନର ସଂଘର୍ଷ କାହାଣୀଠାରୁ ୨୦୧୧ ବିଶ୍ୱକପ୍ ପର୍ଯ୍ୟନ୍ତ ତାଙ୍କ ଯାତ୍ରା ନିଖୁଣ ଭାବେ ବର୍ଣ୍ଣନା କରାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0