ନୂଆଦିଲ୍ଲୀ: ଭାରତ ସହ ସୀମା ବିବାଦ ଚାଲିଥିବା ବେଳେ ଚୀନକୁ ଏକ ଶକ୍ତ ଝଟକା ଲାଗିଛି । ଭାରତ ହିଁ ଶ୍ରୀଲଙ୍କାର ପ୍ରଥମ ଗୁରୁତ୍ୱ ରହିବ ବୋଲି ଶ୍ରୀଲଙ୍କା ରାଷ୍ଟ୍ରପତି ମହିନ୍ଦ୍ରା ରାଜପକ୍ଷେ କହିଛନ୍ତି । ଭାରତ ପ୍ରତି ବିପଦକୁ ଶ୍ରୀଲଙ୍କା ଅଣଦେଖା କରିପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ରାଜପାକ୍ଷେଙ୍କ ଏହି ମନ୍ତବ୍ୟ ପରୋକ୍ଷରେ ଚୀନ୍ ଆଡ଼କୁ ଇସାରା କରିଛି । ନିକଟରେ ଶ୍ରୀଲଙ୍କାର ବୈଦେଶିକ ସଚିବ ମଧ୍ୟ ଚୀନକୁ ଆକ୍ଷେପ କରି ମନ୍ତବ୍ୟ ଦେଇଥିଲେ । ଶ୍ରୀଲଙ୍କାରେ ଚୀନ୍ ପ୍ରଭାବ ବଢ଼ୁଥିବା ନେଇ ଭାରତ ଚିନ୍ତାରେ ଥିଲା । ରାଜପକ୍ଷେଙ୍କ ଏହି ମନ୍ତବ୍ୟ କିଛି ମାତ୍ରାରେ ଭାରତକୁ ଚିନ୍ତାରୁ ଉପଶମ ଦେବ ବୋଲି ଜଣାପଡ଼ିଛି । ହମ୍ବାଟୋଟା ବନ୍ଦରକୁ ଚୀନକୁ ୯୯ ବର୍ଷ ଲିଜ୍ ଦିଆଯିବା ଏକ ବଡ଼ ଭୁଲ ଥିଲା ବୋଲି ଶ୍ରୀଲଙ୍କାର ବୈଦେଶିକ ସଚିବ ଜୟନାଥ କଲମ୍ବେଜ୍ କହିଥିଲେ ।
ବିଭିନ୍ନ ଦେଶରେ ନିଜର ପ୍ରଭାବ ବିସ୍ତାର କରିବାକୁ ଚାହୁଁଛି ଚୀନ୍ । ଏଥିପାଇଁ ଋଣ ଦେବା ବ୍ୟବସ୍ଥାକୁ ପ୍ରଧାନ ଅସ୍ତ୍ର କରିଛି ଚୀନ୍ । ପ୍ରଥମେ ବେଜିଂ ଦେଶମାନଙ୍କୁ ବଡ଼ ପରିମାଣର ଋଣ ଦେଇଥାଏ । ତା’ପରେ ଋଣ ଫେରାଇବାକୁ ବାରମ୍ବାର ଉକ୍ତ ଦେଶ ଉପରେ ଚାପ ପକାଇଥାଏ । ଋଣ ଫେରାଇ ନପାରିଲେ ସଂପୃକ୍ତ ଦେଶର ବନ୍ଦର କିମ୍ବା ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଲିଜ୍ ଆକାରରେ ନେବାକୁ ଚାପ ପକାଇଥାଏ । ଠିକ୍ ଏହିପରି କୌଶଳରେ ଶ୍ରୀଲଙ୍କାର ଏକ ବନ୍ଦରକୁ ଚୀନ୍ ଅକ୍ତିଆର କରିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0