ଭୁବନେଶ୍ୱର : କୌଣସି ଉଚ୍ଚ ଅଟ୍ଟାଳିକା, ବ୍ୟାବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ଆପାର୍ଟମେଣ୍ଟ ଆଦି ଯଦି ବେଆଇନ ଭାବେ ନିର୍ମାଣ ହୋଇଥିବ, ସେଗୁଡ଼ିକୁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ମିଳିବା ଆଉ କଷ୍ଟକର ହେବନି। ଏଥିପାଇଁ ଆଜି ଗୃହ ବିଭାଗ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ପ୍ରଦାନ ନିୟମରେ ସଂଶୋଧନ କରିଛନ୍ତି। ପ୍ଲାନିଂ ଓ ବିଲଡିଂ ନିୟମରେ କୋହଳ କରାଯାଇ ସର୍ବକ୍ଷମା ଯୋଜନା ଅଣାଯାଇଛି। ଏହାଦ୍ବାରା ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ନିର୍ମାଣ ହୋଇଥିବା ଲକ୍ଷଲକ୍ଷ ବେଆଇନ କୋଠାକୁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ମିଳିପାରିବ। ଅଗ୍ନିଶମ ବିଭାଗ ସଂଶୋଧିତ ନିୟମରେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ପ୍ରଦାନ କରିବାକୁ ଥିଲେ ଏହା ଯେପରି ନଗର ଉନ୍ନୟନ ବିଭାଗର ବିଲଡିଂ ଓ ପ୍ଲାନିଂ ନିୟମକୁ ଉଲ୍ଲଂଘନ ନ କରିବ, ସେଥିପ୍ରତି ଧ୍ୟାନ ଦିଆଯାଇଛି। ପୂର୍ବରୁ ଉଚ୍ଚ ଅଟ୍ଟାଳିକା, ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ପ୍ଲାନ୍ ଅନୁଯାୟୀ କୋଠା ନିର୍ମାଣ କରିଥିଲେ ବି ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ନଦେଲେ ଅକ୍ୟୁପାନ୍ସି ସାର୍ଟିଫିକେଟ୍ ମିଳୁନଥିଲା। ଏହି ସାର୍ଟିଫିକେଟ୍ ନଥିବାରୁ ବହୁ ସ୍ବାସ୍ଥ୍ୟାନୁଷ୍ଠାନ ଏବଂ ବିଭିନ୍ନ ବ୍ୟାବସାୟିକ ଅନୁଷ୍ଠାନ ସେମାନଙ୍କର ନବୀକରଣ ସାର୍ଟିଫିକେଟ୍ ପାଇପାରୁନଥିଲେ। ଏହାଦ୍ବାରା ଏହି ସଂସ୍ଥାଗୁଡ଼ିକ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରୁନଥିଲେ କି ସାର୍ଟିଫିକେଟ୍ ପାଉନଥିଲେ। କିନ୍ତୁ ସାଧାରଣ ଜନଜୀବନକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଜଣେ ବ୍ୟକ୍ତି/ସଂସ୍ଥା ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ପାଇଁ ଆବେଦନ କଲେ, ଦୁଇ ସପ୍ତାହ ମଧ୍ୟରେ ସବୁ ଡକ୍ୟୁମେଣ୍ଟ ପ୍ରଦାନ କରିବ। ଏହାପରେ ତିନି ମାସ ମଧ୍ୟରେ ଅଗ୍ନିଶମ ବିଭାଗ ନିୟମ ଅନୁଯାୟୀ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ହେବ। ତିନି ମାସ ମଧ୍ୟରେ କରି ନପାରିଲେ ଆଉ ତିନି ମାସ ସମୟ ମିଳିବ। ତେଣୁ ଆବେଦନର ୬ ମାସ ମଧ୍ୟରେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ହାସଲ କରିବାକୁ ପଡ଼ିବ। ନଚେତ୍ ଆବେଦନପତ୍ର ବାତିଲ୍ ହୋଇଯିବ। ଅଗ୍ନିଶମ ବିଭାଗ ଏହି ଯୋଜନା ଆରମ୍ଭ କରିଥିଲେ ହେଁ ଏହାର ଅବଧି କେତେ ଦିନ ରହିବ, ତାହା ସ୍ପଷ୍ଟ ହୋଇନି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0