ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରି ସୁପ୍ରିମକୋର୍ଟ ୧ ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି । ନ୍ୟାୟପାଳିକା ବିରୋଧରେ ଟୁଇଟ୍ କରି ଦୋଷୀ ସାବ୍ୟସ୍ତ ହୋଇଥିଲେ ଆଇନଜୀବୀ ପ୍ରଶାନ୍ତ ଭୂଷଣ । ତାଙ୍କୁ ସେପ୍ଟେମ୍ବର ୧୫ ସୁଦ୍ଧା ୧ ଟଙ୍କା ଜରିମାନା ଦେବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି । ଯଦି ପ୍ରଶାନ୍ତ ସେପ୍ଟେମ୍ବର ୧୫ ସୁଦ୍ଧା ଏହି ଜରିମାନା ରାଶି ଜମା କରିବାରେ ବିଫଳ ହୁଅନ୍ତି, ତେବେ ତାଙ୍କୁ ତିନିମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ । ଏଥି ସହିତ ସେ ତିନିମାସ ପର୍ଯ୍ୟନ୍ତ ଓକିଲାତିରୁ ବଞ୍ଚିତ ହେବେ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି । ସୂଚନା ମୁତାବକ, ଶୁଣାଣି ସମୟରେ ଟ୍ୱିଟ ପାଇଁ କ୍ଷମା ମାଗିନେବାକୁ ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ କହିଥିଲେ ମଧ୍ୟ ଅଦାଲତ ଅବମାନନା ମାମଲାରେ ସୁପ୍ରିମ କୋର୍ଟଙ୍କୁ ନିଃସର୍ତ୍ତ କ୍ଷମା ପ୍ରାଥନା କରିବାକୁ ପ୍ରଶାନ୍ତ ମନା କରି ଦେଇଥିଲେ । କ୍ଷମା ମାଗିବାକୁ ତାଙ୍କୁ ତାଙ୍କ ବିବେକ ଅନୁମୋଦନ କରୁନାହିଁ । ସୁପ୍ରିମ କୋର୍ଟଙ୍କ ଗାରିମା କ୍ଷୁର୍ଣ୍ଣ ହେବା ଉଦେ୍ଦଶ୍ୟରେ ସେ କୈାଣସି ଟ୍ୱିଟ କରି ନଥିଲେ ଏବଂ କୋର୍ଟଙ୍କ ପ୍ରତି ତାଙ୍କ ମନରେ ସର୍ବଦା ସମ୍ମାନ ରହିଛି । ସେ ଯାହା ଟ୍ୱିଟ କରିଥିଲେ, ତାହା ତାଙ୍କର ବାକ୍ ସ୍ୱାଧୀନତା ବୋଲି ସେ କହିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0