ସଂସଦର ମୌସୁମୀ ଅଧିବେଶନ ୧୪ ସେପ୍ଟେମ୍ବରରୁ ଆରମ୍ଭ ହେବ । ବିନା କୌଣସି ଅବକାଶରେ ଅକ୍ଟୋବର ପହିଲା ଯାଏ ଅଧିବେଶନ ଚାଲିବ । ସଂସଦର ଦୁଇ ଗୃହରେ ପ୍ରାୟ ୧୮ଟି ବୈଠକ ବସିବ । ପ୍ରତିଦିନ ପ୍ରଥମ ଚାରି ଘଣ୍ଟା ରାଜ୍ୟସଭାରେ କାମ ଚାଲିବ । ଏବଂ ପରବର୍ତ୍ତୀ ଚାରି ଘଣ୍ଟାରେ ଲୋକସଭା କାର୍ଯ୍ୟ ହେବ । କରୋନା ପାଇଁ ଏଭଳି ସମୟ ସାରଣୀ ପ୍ରସ୍ତୁତ କରାଯାଇଛି । ପ୍ରଥମ ଦିନ ଲୋକସଭା ସକାଳ ୯ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ବସିବ । କାରଣ ନିୟମ ଅନୁସାରେ ବାଚସ୍ପତି ଓମ୍ ବଡାଲାଙ୍କୁ ଔପଚାରିକ ରୂପରେ ସଦନର ସଦସ୍ୟଙ୍କର ଅନୁମତି ନେବାକୁ ପଡ଼ିବ । ଏହା ପରେ ସେପ୍ଟେମ୍ବର ୧୫ ତାରିଖରେ ରାଜ୍ୟସଭାର କାଯ୍ୟ ଆରମ୍ଭ ହେବ । ସକାଳ ୯ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ ଓ ଲୋକସଭାର କାର୍ଯ୍ୟ ଦିନ ୩ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ । ଅଧିବେଶନ ଆରମ୍ଭର ୭୨ ଘଣ୍ଟା ପୂର୍ବରୁ ସମସ୍ତ ସଦସ୍ୟଙ୍କର କରୋନା ଟେଷ୍ଟ କରାଯିବ । ସଦସ୍ୟଙ୍କ ସହ ସେମାନଙ୍କ ଷ୍ଟାଫଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ । ସଂସଦରେ ପ୍ରବେଶ ପୂର୍ବରୁ ଥର୍ମାଲ ସ୍କ୍ରିନିଂ କରାଯିବ । ଅଧିବେଶନ ସମୟରେ ମଧ୍ୟ ର୍ୟାଣ୍ଡମ୍ ଟେଷ୍ଟ କରାଯିବ । ଏହି ଟେଷ୍ଟଗୁଡ଼ିକ ସଂସଦ ପରିସର ମଧ୍ୟରେ କରାଯିବାକୁ ବ୍ୟବସ୍ଥା ହେବ । ଥର୍ମାଲ ଗନ୍ ଓ ଥର୍ମାଲ ସ୍କାନରରେ ଶରୀରର ତାପମାତ୍ରା ମଧ୍ୟ ଯାଞ୍ଚ କରାଯିବ । ୪୦ଟି ସ୍ଥାନରେ ଟଚଲେସ୍ ସାନିଟାଇଜର ଲଗାଯିବ । ସଂସଦ ପରିସରରେ କୋଭିଡ଼୍ ଗାଇଡଲାଇନର ପାଳନ କରାଯିବ । ଏହି ଅଧିବେଶନ ସମୟରେ ଗଣମାଧ୍ୟମ କର୍ମୀଙ୍କ ସଂଖ୍ୟା ୧୦୦ରେ ସୀମିତ ରଖାଯିବା ସହିତ ସେମାନଙ୍କର ମଧ୍ୟ କୋଭିଡ଼୍ ଟେଷ୍ଟ କରାଯିବ ବୋଳଇ ସୂଚନା ମିଳିଛି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0