spot_img

ବିଜୁ ବିଜୁ ବିଜୁ…..

ପଲ୍ଲୀରୁ ଦିଲ୍ଲୀ, ଦେଶରୁ ବିଦେଶ , ଆକାଶଛୁଆଁ ବ୍ୟକ୍ତିତ୍ୱ ସାଙ୍ଗକୁ ସମ୍ଭାବନାର ସମ୍ଭାର । ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ, ଥରେ କେନ୍ଦ୍ରମନ୍ତ୍ରୀ । ୫ ଦଶନ୍ଧି ରାଜନୈତିକ କ୍ୟାରିୟର ଆଉ ତାହାରି ଭିତରେ ଜାତୀୟ ରାଜନୀତିର ଜଣେ ଜଣାଶୁଣା ଚେହେରା । କ୍ଷମତା ରାଜନୀତିରେ ଖୁବ ସମୟ ରହିଥିବା ବିଜୁ କିନ୍ତୁ ଏହି ସମୟ ଭିତରେ ଆଧୁନିକ ଓଡ଼ିଶାର ବିନ୍ଧାଣୀ ସାଜି ସାରିଥିଲେ । ପ୍ରତିଟି କ୍ଷେତ୍ରରେ ବିଜୁଙ୍କ ଅବଦାନ ଅତୁଳନୀୟ । ରାଜ୍ୟରେ ନାଲକୋକୁ ଜନ୍ମ ଦେବା ହେଉ ବା ପାରାଦ୍ୱୀପରୁ ବନ୍ଦର ମାଧ୍ୟମରେ ପୂରା ବିଶ୍ୱ ସହ ଯୋଡି ହେବାର ପ୍ରୟାସ , ଖୁବ୍ କମ ସମୟ ଶାସନ ସିଂହାସନରେ ବସିଥିଲେ ମଧ୍ୟ ଜନତାଙ୍କ ହୃଦୟ ସିଂହାସନରେ ସବୁଦିନ ପାଇଁ ବସି ସାରିଥିଲେ ବିଜୁ ବାବୁ । ଇତିହାସ ଯେତିକି ପଢିଥିଲେ ନିଜ ଜୀବନକାଳ ଭିତରେ ତାହା ଠାରୁ ଅଧିକ ଇତିହାସ ରଚି ସାରିଥିଲେ ବିଜୁ । ଆକାଶପଥରେ ଅସମ୍ଭବ ଅପରେସନକୁ ସମ୍ଭବ କରି ବିଜୁ ପାଲଟିଯାଇଥିଲେ ଝଡର ଇଗଲ । ଇଣ୍ଡୋନେସିଆରୁ ମିଳିଥିଲା ଭୂମିପୂତ୍ର ଭଳି ସର୍ବୋଚ୍ଚ ସମ୍ମାନ ଶେଷ ପର୍ୟ୍ୟନ୍ତ ଓଡ଼ିଶାର ବିକାଶକୁ ମଧ୍ୟ ଆକାଶଛୁଆଁ କରିବାକୁ ପ୍ରୟାସ ଜାରି ରଖିଥିଲେ । ଯାହା ବିଜୁଙ୍କ ଲୋକପ୍ରିୟତାକୁ ଆକାଶଛୁଆଁ କରିବା ସହ ଦେଇଥିଲା ଜନନାୟକର ପରିଚୟ ।

ଆଜିକୁ ଠିକ୍ ୨୪ ବର୍ଷ ତଳେ ୧୯୯୭ ମସିହା ଏପ୍ରିଲ୧୭ ତାରିଖ ଗୁରୁବାର, କଳିଙ୍ଗର ମୁକୁଟ ବିହୀନ ଶେଷ ସମ୍ରାଟଙ୍କୁ ଛୁଇଁ ସାରିଥିଲା ମୃତ୍ୟୁ । ଏହି ଖବର ବିଜୁଳି ବେଗରେ ଦିଲ୍ଲୀରୁ ପଲ୍ଲୀକୁ ବ୍ୟାପିଲା । ପୁରୀରୁ ପଟ୍ଟାମୁଣ୍ଡାଇ, ମାଲକାନଗିରିରୁ ମୟୂରଭଞ୍ । ଗୋଟିଏ ପଟେ, ଜଳ ସମୁଦ୍ର ଆଉ ଅନ୍ୟପଟେ ଥିଲା ଜନ ସମୁଦ୍ର । ଲକ୍ଷ ଲକ୍ଷ ବିଜୁପ୍ରେମୀଙ୍କ ନାରାରେ ପ୍ରକମ୍ପିତ ହୋଇ ଉଠୁଥିଲା ଗଗନ, ପବନ, ଆଉ, ମାଇଲ ମାଇଲ ଯାଏଁ ଶୁଭୁଥିଲା ‘ବିଜୁ ବାବୁ ଅମର ରହେ’, କଳିଙ୍ଗ ବୀର ଅମର ରହେ । ଏସବୁ ଭିତରେ ମହାନାୟକଙ୍କ ମରଶରୀରକୁ ଯେତେବେଳେ ନବୀନ ନିବାସରୁ ପୁରୀସ୍ୱର୍ଗଦ୍ୱାର ଅଭିମୁଖେ ନିଆଗଲା । ସେତେବେଳର ଦୃଶ୍ୟ ଥିଲା ବେଶ ଭାବବିହ୍ୱଳ ।

କଳିଙ୍ଗ ବୀର ବିଜୁଙ୍କ ଶେଷ ଦର୍ଶନର ଝଲକ ଟିକିଏ ପାଇବା ପାଇଁ ଏକତ୍ରୀତ ହୋଇଥିଲେ ଲକ୍ଷ ଲକ୍ଷ ଜନତା । ଜନ ସମୁଦ୍ରରେ ଏକାକାର ହୋଇଯାଇଥିଲେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ଆରମ୍ଭ କରି ଲକ୍ଷାଧିକ ସର୍ମଥକ । ଅପଲକ ନୟନରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥିଲେ କେତେବେଳେ ଦେଖିବେ ନିଜର ପ୍ରିୟ ବିଜୁ ବାବୁଙ୍କୁ । ତାହାରି ଭିତରେ ଭୁବନେଶ୍ୱରରୁ ସୁସଜ୍ଜିତ ଗାଡିରେ ବାହାରିଥିଲା ଭୂମିପୁତ୍ର ବିଜୁ ବାବୁଙ୍କ ପାର୍ଥିବ ଶରୀର । ରାସ୍ତା ସାରା ଲକ୍ଷ ଲକ୍ଷ ଜନତାଙ୍କ ଅଶ୍ରୁଳ ଆଖି ଦର୍ଶାଉଥିଲା ରାଜ୍ୟ କେଡେ ବଡ ରତ୍ନକୁ ହରାଇଛି । ଆଉ ଜନ ସମୁଦ୍ରର ଲହଡି ପାର କରି ସ୍ୱର୍ଗଦ୍ୱାରରେ ପହଞ୍ଚିଲା କଳିଙ୍ଗ ବୀରଙ୍କ ପାର୍ଥିବ ଶରୀର । ମହାନାୟକଙ୍କ ମରଶରୀର ନିକଟରେ ଏକାଠି ହୋଇଥିଲେ ଦେଶ ଓ ବିଦେଶର ନେତା , ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଦେଶ ରାଷ୍ଟ୍ରଦୂତ, ବିରୋଧୀଙ୍କ ଠାରୁ ସମର୍ଥକ । ମହାନାୟକଙ୍କ ମହାଯାତ୍ରା ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେଇଥିଲା । ସ୍ୱର୍ଗଦ୍ୱାରରେ ଚିତା ଜଳିବା ସହ ପଞ୍ଚଭୂତରେ ଲୀନ ହୋଇଥିଲା ବୀର ପୁଅ ବିଜୁଙ୍କ ମରଶରୀର ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular