ଗୌହାଟୀ: ଦୀର୍ଘ ଦୁଇ ବର୍ଷ ହେଲା କରୋନା ପାଇଁ ବିଭିନ୍ନ କଟକଣା ମଧ୍ୟରେ ଲୋକମାନେ ଜୀବନ ବିତାଉଛନ୍ତି। କେତେବେଳେ କଟକଣା କୋହଳ କରାଯାଉଛି ତ ଆଉ କେତେବେଳେ ଏହାକୁ କଡ଼ାକଡ଼ି କରାଯାଉଛି। ହେଲେ ଦେଶର ପ୍ରଥମ ରାଜ୍ୟ ଭାବେ ଆସାମରୁ କରୋନା ପାଇଁ ଲାଗୁ ହୋଇଥିବା ସମସ୍ତ କଟକଣା ହଟିବାକୁ ଯାଉଛି।
ଫେବୃଆରୀ ୧୫ ଠାରୁ ଆସାମରେ କୌଣସି ପ୍ରକାରର କର୍ଫ୍ୟୁ କିମ୍ବା କଟକଣା ଲାଗୁ ହେବନି। ଜୀବନ ଯାତ୍ରା ପୁଣିଥରେ ସ୍ୱାଭାବିକ କରିବାକୁ ସମସ୍ତ କଟକଣା ହଟାଇ ଦିଆଯିବ ବୋଲି ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଶ୍ରୀ ଶର୍ମା କହିଛନ୍ତି, ସ୍କୁଲ ବୋର୍ଡ ପରୀକ୍ଷା, ପୌରପାଳିକା ନିର୍ବାଚନ, ମଜଉଲି ବିଧାନସଭାର ଉପ ନିର୍ବାଚନ ଓ ଅନ୍ୟ ସମସ୍ତ କାର୍ୟ୍ୟ ଆସନ୍ତା ୨ ମାସ ମଧ୍ୟରେ ଅନୁଷ୍ଠିତ ହେବ। ଏହି ସମୟରେ କୌଣସି ପ୍ରକାରର କଟକଣା ରହିବ ନାହିଁ। ବୋର୍ଡ ପରୀକ୍ଷା ଦେବାକୁ ଥିବା ପିଲମାନେ ଶୀଘ୍ର କରୋନା ବିରୋଧରେ ଟିକାର ଦୁଇଟି ଯାକ ଡୋଜ୍ ନେଇ ଯାଆନ୍ତୁ
ରାଜ୍ୟରେ ଫେବୃଅଆରୀ ୧୫ଠାରୁ ଆଉ କୌଣସି ପ୍ରକାରର ନାଇଟ କର୍ଫ୍ୟୁ ରହିବ ନାହିଁ। ମଲ ଓ ସିନେମା ହଲ ପୂର୍ଣ୍ଣ କ୍ଷମତାରେ ଅର୍ଥାତ କୋଭିଡ ପୂର୍ବରୁ ଯେମିତି ଚାଲିଥିଲା ସେମିତି ଚାଲିବ। ରାତି ସମୟରେ ବାହାଘର ହୋଇପାରିବ। କିନ୍ତୁ ଏଠାକୁ ଆସୁଥିବା ଅତିଥିମାନେ ଡବଲ ଡୋଜ୍ ଟିକା ନେଇଥିବା ଆବଶ୍ୟକ। ଜୀବନ ଯାତ୍ରାକୁ ପୁଣି ସ୍ୱାଭାବିକ କରିବାକୁ ଏପରି ନିଷ୍ପତ୍ତି ନିଆଯାଇଛି। ତେବେ କେବଳ ସବୁ ସ୍ଥାନରେ ମାସ୍କ ପିନ୍ଧିବା ନିୟମ ବଳବତ୍ତର ରହିବ। ଏହାବାଦ ଆଉ କୌଣସି କରୋନା କଟକଣା ରାଜ୍ୟରେ ଲାଗୁ ହେବନି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଗତ କିଛି ଦିନ ହେଲା ଆସାମରେ ଦୈନିକ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ସେହିପରି କରୋନାରେ ଆକ୍ରାନ୍ତ ହେଉଥିବା ଲୋକଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ୁନି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ପ୍ରକାରର କରୋନା କଟକଣା ହଟାଇବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0