ଜୟପୁର: ବାପାଙ୍କୁ ଫୋନ୍ କରି କହିଲେ ଯେ ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି। ଆଉ ତା’ପରେ ହୋଟେଲର ଷଷ୍ଠ ମହଲାରୁ ଡେଇଁ ପଡ଼ିଥିଲେ। ଘଟଣାଟି ଘଟିଛି ରାଜସ୍ଥାନର ଯୋଧପୁର ସହରରେ। ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କ ନାଁ ଗୁନ୍ଗୁନ୍ ଉପାଧ୍ୟାୟ। ସେ ଜଣେ ଫ୍ୟାସନ୍ ମଡେଲ୍। ତାଙ୍କ ଘର ଯୋଧପୁର ସହରରେ। ଗତ ଶନିବାର ରାତିରେ ସେ ଉଦୟପୁରରୁ ଯୋଧପୁରକୁ ଫେରିଥିଲେ। ତେବେ ଘରକୁ ନଯାଇ ଏକ ହୋଟେଲରେ ରହିଥିଲେ।
ଗୁନ୍ଗୁନ୍ ହୋଟେଲରୁ ତାଙ୍କ ବାପାଙ୍କୁ ଫୋନ୍ କରିଥିଲେ ଓ ସେ ଆତ୍ମହତ୍ୟା କରିବାକୁ ଯାଉଥିବା କଥା କହିଥିଲେ। ଏହା ଶୁଣି ତାଙ୍କ ବାପା ପୁଲିସ୍କୁ ଫୋନ୍ କରି ସାହାଯ୍ୟ ମାଗିଥିଲେ। ପୁଲିସ୍ ଗୁନ୍ଗୁନ୍ଙ୍କ ଫୋନ୍ ଟ୍ରାକ୍ କରି ହୋଟେଲ୍ରେ ପହଞ୍ଚିଥିଲା। ହେଲେ ସେତେବେଳକୁ ସେ ହୋଟେଲ୍ରୁ ଷଷ୍ଠ ମହଲାରୁ ଡେଇଁ ସାରିଥିଲେ। ୬ ମହଲାରୁ ଡେଇଁଥିଲେ ବି ଉକ୍ତ ଯୁବତୀଙ୍କର ମୃତ୍ୟୁ ହୋଇନାହିଁ। ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କ ଗୋଡ଼ ଭାଙ୍ଗି ଯାଇଛି। ତାଙ୍କ ଛାତିର କିଛି ହାଡ଼ ବି ଭାଙ୍ଗିଛି। ତାଙ୍କର ବହୁତ ରକ୍ତସ୍ରାବ ହୋଇଛି। ସେଥିପାଇଁ ତାଙ୍କୁ ରକ୍ତ ଦିଆଯାଇଛି।
ପୁଲିସ୍ କହିଛି ଯେ ଗୁନ୍ଗୁନ୍ କାହିଁକି ଏମିତି ଏକ ପଦକ୍ଷେପ ନେଲେ, ତାହା ଜଣାପଡ଼ିନି। ଏବେ ସେ କିଛି କହିବା ସ୍ଥିତିରେ ନାହାନ୍ତି। ସେ କଥା କହିବା ସ୍ଥିତିକୁ ଆସିଲେ ହିଁ ଘଟଣା ପଛର କାରଣ ଜଣାପଡ଼ିବ। ତେବେ ପୁଲିସ୍ ଘଟଣାର ଛାନ୍ଭିନ୍ ଜାରି ରଖିଛି।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0