ଅନେକ କଳାକାର ଦର୍ଶକଙ୍କ ପାଖରେ ପ୍ରଶଂସାର ପାତ୍ର ହେବା ପାଇଁ କାହିଁ କେତେ କସରତ କରୁଥିବା ବେଳେ ଅନନ୍ୟାଙ୍କ ପାଇଁ ତାଙ୍କର ପ୍ରଥମ ଫିଲ୍ମ ଏଭଳି ସୌଭାଗ୍ୟ ଆଣିଦେଇଛି ଯେ ତାଙ୍କ ପଛେ ପଛେ ପ୍ରଶଂସା ଆପେ ଆପେ ଗୋଡ଼ାଇଛି। ବିଗତ ଦିନର ନାୟକ ଚଙ୍କି ପାଣ୍ଡେଙ୍କ ସୁଯୋଗ୍ୟା ଦୁହିତା ହୋଇ ମଧ୍ୟ ତାଙ୍କୁ ଆଉ ନିଜ ବାପାଙ୍କ ପରିଚୟ ଉପଯୋଗ କରିବା ଦରକାର ପଡ଼ିନି। ନିଜ ଗୋଡ଼ରେ ହିଁ ସେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ହିନ୍ଦୀ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦି ଇଅର-୨’ରେ ସେ ପ୍ରଥମ ପଦାର୍ପଣ କରି ଦର୍ଶକ, ସାଙ୍ଗସାଥୀ, ପ୍ରଶଂସକ ଓ ଆତ୍ମୀୟ ସୋଦରଙ୍କୁ ଆଚମ୍ବିତ କରିଦେଇଥିଲେ। ଉକ୍ତ ସିନେମାଟି ବକ୍ସ ଅଫିସରେ ସେଭଳି ସଫଳତା ଲାଭ କରିନଥିଲେ ହେଁ ସେଥିରେ ଶ୍ରେୟା ରାନ୍ଧ୍ୱା ଚରିତ୍ରରେ ଅନନ୍ୟାଙ୍କ ଅଭିନୟ ସମସ୍ତଙ୍କୁ ପ୍ରଶଂସାରେ ଶତମୁଖ କରିଦେଇଥିଲା। ଏଥିପାଇଁ ତାଙ୍କୁ ଶ୍ରେଷ୍ଠ ନବାଗତା ନାୟିକା ଭାବେ ୨୦୧୯ ମସିହାର ‘ଫିଲ୍ମ ଫେୟାର ସମ୍ମାନ’ ଓ ‘ବର୍ଷର ତାଜା ମୁହଁ’ ଭାବରେ ‘୨୬ତମ ସ୍କ୍ରିନ୍ ସମ୍ମାନ’ ମିଳିଥିଲା। ଉକ୍ତ ଫିଲ୍ମ ପାଇଁ ତାଙ୍କୁ ୨୦୨୦ ମସିହାରେ ଶ୍ରେଷ୍ଠ ନବାଗତା ଭାବରେ ‘ଜୀ ସିନେ ସମ୍ମାନ’ ଓ ‘୨୧ତମ ଆଇଫା ସମ୍ମାନ’ ମିଳିଥିଲା। ତାଙ୍କ ଅଭିନୀତ ଦ୍ବିତୀୟ ଫିଲ୍ମ ‘ପତି ପତ୍ନୀ ଔର ଓ୍ୱ‘ ମଧ୍ୟ ଅନୁରୂପ ସଫଳତା ସାଉଁଟିଥିଲା। ଉକ୍ତ ସିନେମା ଆଶାତୀତ ବ୍ୟାବସାୟିକ ସଫଳତା ହାସଲ କରିବା ସହ ଅନନ୍ୟାଙ୍କ ବିଶେଷ ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ନବାଗତା ଅଭିନେତ୍ରୀ ଭାବେ ‘ଫିଲ୍ମ ଫେୟାର ସମ୍ମାନ’ ମିଳିଥିଲା। ଏହାପରେ ‘ଖାଲି ପୀଲି’ ଓ ‘ଗେହେରିୟାଁ’ ପରି ହିନ୍ଦୀ ସିନେମାରେ ସେ ମଧ୍ୟ ତାଙ୍କ ଅଭିନୟ ଚମକ ବଜାୟ ରଖିଥିଲେ। ସେହିପରି ଗତବର୍ଷ ସେ ଅଭିନୟ କରିଥିବା ୱେବ୍ ଧାରାବାହିକ ‘ଷ୍ଟାର ଭର୍ସେସ ଫୁଡ୍-୨’ ପାଇଁ ମଧ୍ୟ ତାଙ୍କ ନାମକୁ ଲୋକପ୍ରିୟ ଅଭିନେତ୍ରୀ ଭାବରେ ଚଳିତବର୍ଷର ‘ଆଇଟା ସମ୍ମାନ’ ପାଇଁ ସୁପାରିସ କରାଯାଇଥିଲା। ଏପରି ସୀମିତ ସଂଖ୍ୟକ ସିନେମାରେ କାମ କରି ମଧ୍ୟ ଅନନ୍ୟା ହାସଲ କରିଥିବା ସଫଳତା ପାଇଁ ସେ ୨୦୧୯ ଓ ୨୦୨୦ ମସିହାରେ ଟାଇମ୍ସ ଅଫ୍ ଇଣ୍ଡିଆର ସବୁଠୁ ଆଂକାକ୍ଷିତ ମହିଳା ତାଲିକାରେ ସ୍ଥାନ ପାଇଥିଲେ। ଚଳିତବର୍ଷ ତାଙ୍କର ମୁକ୍ତିଲାଭ କରିବାକୁ ଥିବା ‘ଲାଇଗର’ ମାଧ୍ୟମରେ ସେ ଦର୍ଶକଙ୍କୁ ଭିନ୍ନ ସ୍ବାଦ ପରଷିବେ ବୋଲି ସୂଚନା ଦେଇଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0