କେନ୍ଦୁଝର: ଅବଧି ଶେଷ ହେବା ପରେ କେନ୍ଦୁଝର ଜିଲ୍ଲାର ୧୨ଟି ଖଣିରେ ପୁରୁଣା ଲିଜ୍ଧାରୀଙ୍କ ଦ୍ୱାରା ଖନନ କରାଯାଇଥିବା ଖଣିଜ ପଦାର୍ଥ ଆଉ ପରିବହନ ହୋଇପାରିବ ନାହିଁ। ଏଭଳି ନିର୍ଦେଶ ଦେଇଛନ୍ତି କେନ୍ଦୁଝର ଡିଏଫ୍ଓ। ଡିଏଫ୍ଓଙ୍କ ନିର୍ଦେଶନାମା ନମ୍ବର ୫୮୫୬ ପରେ ଆଜିଠାରୁ ଏହି ୧୨ଟି ଖଣିରେ ଲୁହାପଥର ପରିବହନ ବନ୍ଦ ରହିଛି। ଖଣି ନିର୍ଦେଶକ ଜଙ୍ଗଲ ଓ ପରିବେଶ ବିଭାଗର ସ୍ବତନ୍ତ୍ର ସଚିବଙ୍କୁ ଚିଠି ଲେଖି ଖଣିରୁ ଲୁହାପଥର ଉଠାଇବାକୁ ପୁରୁଣା ଲିଜ୍ଧାରୀଙ୍କୁ ଆଉ ଗୋଟିଏ ମାସ ସମୟ ଦେବାକୁ ଅନୁରୋଧ କରିଥିଲେ ବି ଆଜି ପର୍ଯ୍ୟନ୍ତ ଏନେଇ ଅନୁମତି ମିଳିନଥିବା ଜଣାପଡ଼ିଛି।
ପୁରୁଣା ଲିଜ୍ଧାରୀମାନେ ଉତ୍ତୋଳିତ ହୋଇଥିବା ଖଣିଜ ଦ୍ରବ୍ୟକୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ପରିବହନ କରିପାରିବେ ବୋଲି ଡିଏଫ୍ଓ ପତ୍ର ସଂଖ୍ୟା ୨୦୭୭ ତା ୩୧.୦୩.୨୦୨୦ରେ ଅନୁମତି ପ୍ରଦାନ କରିଥିଲେ। ଗତକାଲି ଅର୍ଥାତ ସେପ୍ଟେମ୍ବର ୩୦ ତାରିଖରେ ପୁରୁଣା ଲିଜ୍ଧାରୀଙ୍କୁ ଦିଆଯାଇଥିବା ସମୟ ସୀମା ଶେଷ ହୋଇଯାଇଛି। ୨୯ ତାରିଖରେ ଚିଠି ନମ୍ବର ୫୮୫୬ରେ କେନ୍ଦୁଝର ଡିଏଫ୍ଓ ଏସବୁ ଖଣିରୁ ପୁରୁଣା ଲିଜ୍ଧାରୀଙ୍କୁ ଆଉ ଖଣିଜ ପଦାର୍ଥ ନଉଠାଇବାକୁ ଚିଠି କରିଛନ୍ତି।
ଖଣିରେ ପୁରୁଣା ଲିଜ୍ଧାରୀଙ୍କ ଦ୍ବାର ଉତ୍ତୋଳିତ ଖଣିଜ ପଦାର୍ଥ ରହିଯାଇଥିବାରୁ ଆଉ କିଛିଦିନ ସମୟ ଦେବାକୁ ସେମାନେ ଚାହୁଁଥିଲେ। ୨୮ ତାରିଖରେ ଖଣି ନିର୍ଦେଶକ ଦେବୀଦତ୍ତ ବିଶ୍ବାଳ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରାଳୟର ସ୍ବତନ୍ତ୍ର ସଚିବଙ୍କୁ ଚିଠି ଲେଖି (ଚିଠି ନଂ-୬୭୯୩) ପୁରୁଣା ଲିଜ୍ଧାରୀଙ୍କୁ ଆଉ ଗୋଟିଏ ମାସ ଲୁହାପଥର ଉଠାଇବାକୁ ଅନୁମତି ଦେବା ପାଇଁ ଅନୁରୋଧ କରିଥିଲେ। ହେଲେ ଏନେଇ କୌଣସି ସରକାରୀ ନିର୍ଦେଶ ଆସିନଥିବାରୁ ଆଜି ଏହି ୧୨ଟି ଖଣିରୁ ପୁରୁଣା ଲିଜ୍ଧାରୀମାନେ ଲୁହାପଥର ଉଠାଇ ପାରିନାହାନ୍ତି। ଏ ସଂପର୍କରେ ଯୋଡ଼ାସ୍ଥିତ ଯୁଗ୍ମ ଖଣି ନିର୍ଦେଶକ ସଲିଳ ବେହେରାଙ୍କୁ ପଚାରିବାରୁ, ସନ୍ଧ୍ୟା ସୁଦ୍ଧା ଏ ସମ୍ପର୍କିତ କୌଣସି ନିର୍ଦେଶନାମା ଆସିନାହିଁ। ତେଣୁ ପୁରୁଣା ଲିଜ୍ଧାରୀମାନେ ଲୁହାପଥର ଉଠାଇ ପାରିନାହାନ୍ତି। ଆମେ ସରକାରୀ ନିର୍ଦେଶକୁ ଅପେକ୍ଷା କରିଛୁ। ନିର୍ଦେଶ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ବେହେରା କହିଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0