ନୂଆଦିଲ୍ଲୀ: ପ୍ରଥମେ ଇଂଲଣ୍ଡରେ ଚିହ୍ନଟ ହୋଇଥିବା ଗୁଣସୂତ୍ର ପରିବର୍ତ୍ତିତ କରୋନାଭାଇରସ ଏବେ ଭାରତରେ ଚିହ୍ନଟ ହୋଇଛି। ଏଥିରେ ୬ଜଣ ଆକ୍ରାନ୍ତ ହୋଇଥିବା କଥା ନମୁନା ପରୀକ୍ଷାରୁ ଜଣାପଡ଼ିଛି। ତେବେ ଏ ମଧ୍ୟରେ ପୁଣି ଥରେ ବ୍ରିଟେନରୁ କେରଳ ଫେରିଥିବା ୧୮ ଭାରତୀୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ସ୍ବାବ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ଏବେ ସେମାନଙ୍କୁ ଘରେ ସଙ୍ଗରୋଧରେ ରହିବା ପାଇଁ କୁହାଯାଇଛି। ଏହା ସହ ୧୮ଜଣ କରୋନାର ନୂଆ ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ତାହା ଜାଣିବା ପାଇଁ ସେମାନଙ୍କ ନମୁନା ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ପଠାଯାଇଛି। ଏ ନେଇ ସୂଚନା ଦେଇଛନ୍ତି କେରଳ ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଲଜା। ଏହା ପୂର୍ବରୁ ବ୍ରିଟେନରୁ ଫେରିଥିବା ୮ଜଣ ଯାତ୍ରୀ କରୋନା ଆକ୍ରାନ୍ତ ହୋଇଥିଲେ। ପରେ ସେମାନେ କରୋନାର ନୂଆ ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ତାହା ଜାଣିବା ପାଇଁ ନମୁନାକୁ ଏନଆଇଭି ପଠାଯାଇଥିଲା। ଏବେ ବ୍ରିଟେନରୁ ଫେରିଥିବା ୬ଜଣ ଭାରତୀୟ କରୋନାର ନୂଆ ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିବା ବେଳେ ଏହି ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ତେବେ କରୋନାର ନୂଆ ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ତିନିଜଣ ବେଙ୍ଗାଲୁରୁର ‘ଏନଆଇଏମଏଚଏଏନଏସ’ରେ ଥିବା ବେଳେ ଦୁଇଜଣ ହାଇଦ୍ରାବାଦସ୍ଥିତ ‘ସେଣ୍ଟର ଫର ମଲିକ୍ୟୁଲାର ବାୟୋଲୋଜି ଏବଂ ଅନ୍ୟ ଜଣେ ପୁଣେସ୍ଥିତ ‘ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି’ରେ ଅଛନ୍ତି। ଏହି ସମସ୍ତ ଆକ୍ରାନ୍ତଙ୍କୁ ରାଜ୍ୟ ସରକାରଙ୍କ ସ୍ୱୀକୃତ ସ୍ୱାସ୍ଥ୍ୟ ସେବା କେନ୍ଦ୍ରମାନଙ୍କର ‘ସିଙ୍ଗଲ ରୁମ ଆଇସୋଲେସନ’ରେ ରଖାଯାଇଛି। ସେମାନଙ୍କ ନିବିଡ଼ ସମ୍ପର୍କରେ ଆସିଥିବା ବ୍ୟକ୍ତିବିଶେଷଙ୍କୁ ମଧ୍ୟ ‘କ୍ୱାରେଣ୍ଟିନ’ରେ ରଖାଯାଇଛି। ଚିହ୍ନଟ ଆକ୍ରାନ୍ତମାନଙ୍କ ସହଯାତ୍ରୀ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ପରିବାରବର୍ଗ ଓ ଅନ୍ୟମାନଙ୍କୁ ଚିହ୍ନଟ କରିବା ଲାଗି ବ୍ୟାପକ କଣ୍ଟାକ୍ଟ ଟ୍ରେସିଙ୍ଗ ଅଭିଯାନ ଆରମ୍ଭ ହୋଇଛି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0