ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ୫୦ ହଜାରରୁ କମ୍ କରାଯାଉଥିବା ବେଳେ ଏହା ପୁଣି ୫୦ ହଜାରରୁ ଅଧିକ ହୋଇଛି। ଗତ ୨୪ ଘଣ୍ଟାରେ ମୋଟ୍ ୫୦ ହଜାର ୪୪ କରୋନା ନମୁନା ପରୀକ୍ଷା କରାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍, ଆଣ୍ଟିଜେନ୍ ଓ ଟ୍ରୁନଟ୍ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି। ଏଥିମଧ୍ୟରୁ ଆଣ୍ଟିଜେନ୍ରେ ୪୨,୫୧୧, ଆରଟିପିସିଆରରେ ୭,୩୪୫ ଓ ଟ୍ରୁନଟ୍ରେ ୧୮୮ଟି କରୋନା ନମୁନା ପରୀକ୍ଷା କରାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ୨୪ଘଣ୍ଟାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୫ହଜାର ୨୩ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଦ୍ବିତୀୟ ସର୍ବାଧିକ ୪୫୯୯ କରୋନା ନମୁନା ପରୀକ୍ଷା କରାଯାଇଛି। ଅପରପକ୍ଷରେ ମୟୂରଭଞ୍ଜ ଜିଲ୍ଲାରେ ତୃତୀୟ ସର୍ବାଧିକ ୩୭୮୮ଟି ଓ କେନ୍ଦୁଝର ଜିଲ୍ଲାରେ ୨୮୦୯ ଟି କରୋନା ନମୁନା ପରୀକ୍ଷା କରାଯାଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ ପୂର୍ବଦିନ ୪୭,୧୬୧ କୋଭିଡ୍ ନମୁନା ପରୀକ୍ଷା ହୋଇଥିବା ବେଳେ ଟେଷ୍ଟ ପଜିଟିଭ୍ ରେଟ୍ (ଟିପିଆର୍) ହଠାତ୍ ୮ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଚିନ୍ତାର ବିଷୟ ହେଲା, ଗୋଟିଏ ଦିନରେ ରାଜ୍ୟର ୧୪ଟି ଜିଲ୍ଲାରୁ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେଣୁ କେବଳ ଖୋର୍ଧା କି କଟକ ନୁହେଁ; ରାଜ୍ୟର ଏକାଧିକ ଜିଲ୍ଲାରେ ଏବେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ନଜରକୁ ଆସିଛି। ରାଜ୍ୟରେ ଏବେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୦ ହଜାର ୪୭୪ରେ ପହଞ୍ଚିଛି। ଦେଶର ସର୍ବାଧିକ ସକ୍ରିୟ ରୋଗୀ ଥିବା ରାଜ୍ୟମାନଙ୍କ ତାଲିକାରେ ଓଡ଼ିଶା ରହିଛି। ପଜିଟିଭ୍ ତୁଳନାରେ କମ୍ ସଂଖ୍ୟକ ରୋଗୀ ସୁସ୍ଥ ହେବା କାରଣରୁ ରାଜ୍ୟରେ ଚିକିତ୍ସିତ ରୋଗୀଙ୍କ ସଂଖ୍ୟାରେ ଏଭଳି ବୃଦ୍ଧି ଘଟିଛି।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0