spot_img

ବନ୍ଦ ହେବ ୬୦୦ ମଦ ଦୋକାନ

ନୂଆଦିଲ୍ଲୀ: ମଦର ଖୁଚୁରା ବ୍ୟବସାୟକୁ ମଙ୍ଗଳବାର ରାତିରୁ ବିଧିବଦ୍ଧ ଭାବେ ଅଲବିଦା କହିବେ ଦିଲ୍ଲୀ ସରକାର। ମଦ ବ୍ୟବସାୟର ଦାୟିତ୍ୱ ଘରୋଇ ସଂସ୍ଥା ହାତରେ ଟେକି ଦେଇ ସରକାର ଏଥିରୁ ମୁକ୍ତ ହେବାକୁ ଯାଉଛନ୍ତି। ସରକାରଙ୍କ ଏପରି ନିଷ୍ପତ୍ତି ଦ୍ୱାରା ଦିଲ୍ଲୀରେ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା ପ୍ରାୟ ୬୦୦ ଖୁଚୁରା ମଦ ଦୋକାନ ବନ୍ଦ ହୋଇଯିବ। ଏହାବଦଳରେ ଘରୋଇ ମଦ ଦୋକାନ ସବୁ ଖୋଲିବ। ବୁଧବାର ସକାଳୁ ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତି ଅନୁଯାୟୀ, ସହରରେ ଥିବା ମଦ ଦୋକାନର ସଞ୍ଚାଳନ ଘରୋଇ ସଂସ୍ଥା ହାତକୁ ଯିବ।

ତେବେ ୬୦୦ ସରକାରୀ ଦୋକାନ ବନ୍ଦ ହେବାକୁ ଯାଉଥିବାରୁ ଦିଲ୍ଲୀରେ ମଦର ଅଭାବ ଦେଖିବାକୁ ମିଳିପାରେବ। କାରଣ ବୁଧବାର ସକାଳୁ ଏକାକାଳୀନ ୮୫୦ ଘରୋଇ ମଦ ଦୋକାନ ସେବା ଆରମ୍ଭ କରିବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ। ସରକାରଙ୍କ ପକ୍ଷରୁ ୩୨ଟି ଜୋନରେ ଖୋଲିବାକୁ ଥିବା ମଦ ଦୋକାନକୁ ଲାଇସେନ୍ସ ଦିଆଯାଇ ସାରିଛି। କିନ୍ତୁ ନୂଆ ଅବକାରୀ ନୀତିକୁ ପାଳନ କରି ପ୍ରାଥମିକ ଅବସ୍ଥାରେ କେବଳ ୩୦୦ରୁ ୩୫୦ ମଦ ଦୋକାନ ଖୋଲିବାର ସମ୍ଭାବନା ରହିଛି। ପ୍ରାୟ ୩୫୦ଟି ଦୋକାନକୁ ପ୍ରୋଭିଜନାଲ ଲାଇସେନ୍ସ ଦିଆଯାଇଛି। ୨୦୦ରୁ ଅଧିକ ବ୍ରାଣ୍ଡର ମଦ ପାଇଁ ୧୦ଟି ହୋଲସେଲ ଲାଇସେନ୍ସ ପ୍ରାପ୍ତ ବ୍ୟକ୍ତି ପଞ୍ଜୀକୃତ କରିଛନ୍ତି। ସେମାନେ ବିଭିନ୍ନ ବ୍ରାଣ୍ଡର ୯ ଲକ୍ଷ ଲିଟର ମଦ କିଣି ସାରିଛନ୍ତି। ଧୀରେଧୀରେ ଦିଲ୍ଲୀରେ ସମସ୍ତ ୮୫୦ ମଦ ଦୋକାନ ଖୋଲିବ। ଏହାପରେ ଆଉ କୌଣସି ଅସୁବିଧା ହେବ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଅଧିକାରୀ ଜଣଙ୍କ କହିଛନ୍ତି ଯେ ପ୍ରଥମଥର ପାଇଁ ଦିଲ୍ଲୀରେ ଥିବା ସମସ୍ତ ସରକାରୀ ମଦ ଦୋକାନ ଏକକାଳୀନ ବନ୍ଦ ହେବାକୁ ଯାଉଛି। ଏହି ବ୍ୟବସାୟ ସଂପୂର୍ଣ୍ଣ ଭାବେ ଘରୋଇ ବ୍ୟବସାୟୀଙ୍କ ହାତକୁ ଚାଲିଯିବ। ଟେଣ୍ଡର ଦ୍ୱାରା ୮୫୦ ମଦ ଦୋକାନ ଘରୋଇ ବ୍ୟବସାୟୀଙ୍କୁ ହସ୍ତାନ୍ତର କରାଯାଇଛି। ବୁଧବାର ଠାରୁ ନୂଆ ଲାଇସେନ୍ସ ପ୍ରାପ୍ତ ଖୁଚୁରା ବ୍ୟବସାୟୀ ମଦ ବିକ୍ରି କରିବା ଆରମ୍ଭ କରିବେ। ସୂଚନାଯୋଗ୍ୟ, ନୂଆ ଅବକାରୀ ନୀତି ଅନୁଯାୟୀ ପ୍ରତିଟି ଦୋକାନ ଗ୍ରାହକଙ୍କୁ ମଦ କିଣିବା ପାଇଁ ସବୁ ପ୍ରକାରର ସୁବିଧା ଯୋଗାଇ ଦେବେ। ଗ୍ରାହକମାନେ ନିଜ ଇଚ୍ଛାରେ ବ୍ରାଣ୍ଡ ଚୟନ କରିବା ସହ ଏହାକୁ କିଣି ପାରିବେ। ପୂରା ଆର୍ଥିକ କାରବାର ଉକ୍ତ ଦୋକାନ ମଧ୍ୟରେ ହିଁ ହେବ। ଏହି ରିଟେଲ ଦୋକାନ ଗୁଡ଼ିକରେ ଏସି ଲାଗିବା ବାଧ୍ୟତାମୂଳକ। ସେହିପରି ଏଠାରେ କାଚର ଦ୍ୱାର ଲାଗିବ। ଦୋକାନ ବାହାରେ କୌଣସି ଗ୍ରାହକ ଭିଡ଼ କରିବେ ନାହିଁ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular