ବ୍ରହ୍ମପୁର : ନୀଳାମ୍ବୁ ଚିଲିକା ଏବେ ବିପଦ ଆଡ଼କୁ ମୁହାଉଁଛି। ଏସିଆ ମହାଦେଶର ଏହି ବୃହତ୍ତମ ଲୁଣା ହ୍ରଦ ପାଇଁ ବିପଦ ସାଜିଛି ବେଆଇନ ଚିଙ୍ଗୁଡ଼ି ଘେରି ଏବ˚ ନାଳ ଘାସ। ଚିଲିକାକୁ ଘେରି ଗଢ଼ି ଉଠିଛି ଚିଙ୍ଗୁଡ଼ି ଚାଷ ପାଇଁ ହଜାର ହଜାର ହେକ୍ଟର ମାଟି ଘେରି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଘେରି ଉଚ୍ଛେଦ ହୋଇପାରୁନି। ସେପଟେ ଦିନକୁ ଦିନ ଚିଲିକାରେ ନଳ ଘାସ ମାଡ଼ିବାରେ ଲାଗିଛି। ନଳ ଘାସ ଯୋଗୁଁ ଚିଲିକାର ବିଶାଳ ଜଳରାଶି ଆବଦ୍ଧ ହେବା ସାଙ୍ଗକୁ ମତ୍ସଜୀବୀଙ୍କ ଜୀବିକା ଉଜୁଡ଼ି ଯାଉଛି। ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ୧୧୬୫ ବର୍ଗ କିମି ଇଲାକାରେ ଚିଲିକା ପରିବ୍ୟାପ୍ତ ଥିଲା। କ୍ରମେ ସଙ୍କୁଚିତ ହୋଇ ୧୦୯୧.୧୦ ବର୍ଗ କିମି ରହିଛି। ଏଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ୭୪.୩୩ ବର୍ଗକିମି, ଖୋର୍ଦ୍ଧା ଜିଲ୍ଲାରେ ୭୨.୯୯ ବର୍ଗ କିମି ଏବ˚ ପୁରୀ ଜିଲ୍ଲାରେ ୮୮୪.୫୬ ବର୍ଗ କିମି ପର୍ୟ୍ୟନ୍ତ ଚିଲିକାରେ ୫୨ଟି ଛୋଟବଡ଼ ନଦୀ ନାଳ ମିଶିଛି । ଗ୍ରୀଷ୍ମ ଋତୁରେ ଚିଲିକାର ଜଳଧାରଣ ପରିସୀମା କମୁଥିବା ବେଳେ ବର୍ଷା ଋତୁ ପାଣି ଆସିଲେ ଏହାର ପରିସୀମା ବୃଦ୍ଧି ପାଇଥାଏ। ଗ୍ରୀଷ୍ମ ଦିନରେ ଏହା ୯୦୬ ବର୍ଗ କିମି ଏବ˚ ବର୍ଷା ଦିନରେ ୧୧ଶହ ୬୫ ବର୍ଗ କିମି ପର୍ୟ୍ୟନ୍ତ ବ୍ୟାପ୍ତ ହୋଇଥାଏ। ଛୋଟବଡ଼ ନଦୀ ଗୁଡ଼ିକରେ ମାଟିଗୋଡ଼ି, ବାଲି କାଦୁଅ ଆସି ଚିଲିକା ଧୀରେ ଧୀରେ ପୋତି ହେବାରେ ଲାଗିଛି। ଅନ୍ୟପକ୍ଷରେ ବର୍ତ୍ତମାନ ପ୍ଲାଷ୍ଟିକ୍ର ବହୁଳ ବ୍ୟବହାର ଯୋଗୁଁ ପଲିଥିନ୍ ଓ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ନଦୀ ନାଳରୁ ଯାଇ ଚିଲିକାରେ ମିଶୁଛି। ଏହାଦ୍ବାରା ଚିଲିକାର ଜଳଜୀବଙ୍କ ଉପରେ କୁପ୍ରଭାବ ପକାଉଛି।ଚିଲିକାର ପ୍ରାୟ ୧୫୦ ବର୍ଗ କିମି ଇଲାକା ନାଳଘାସ ପୂର୍ଣ୍ଣ ହୋଇଯାଇଛି। ଚିଲିକା ପାଇଁ ସବୁଠାରୁ ବଡ଼ ବିପଦ ସାଜିଛି ଚିଙ୍ଗୁଡ଼ି ଘେରି। ଚିଲିକାରେ ଦୁଇ ପ୍ରକାର ଘେରି ଦେଖା ଯାଇଥାଏ। ଚିଲିକା ମଧ୍ୟରେ ଜାଲ ଓ ବାଉଁଶରେ ଘେରି ତିଆରି କରି ଚିଙ୍ଗୁଡ଼ି ଚାଷ ହୋଇଥାଏ। ଚିଲିକା ଓ ପାର୍ଶ୍ବବର୍ତ୍ତୀ ଇଲାକାରେ ମାଟିର ଘେରି(ମାଟି ବନ୍ଧ) କରି ଚିଙ୍ଗୁଡ଼ି ଚାଷ ହୋଇଥାଏ। ଏହି ବେଆଇନ ଚିଙ୍ଗୁଡ଼ି ଘେରି ଯୋଗୁଁ ଚିଲିକା ଅବରୋଧ ହେବା ସହ ବ୍ୟବହୃତ ରାସାୟନିକ ପଦାର୍ଥ ପରିବେଶଗତ ସଙ୍କଟ ସୃଷ୍ଟି କରିଛି।



Visitors Today : 3
Total Visitors : 130426
Total Views : 9891957
Visitors Online Now : 0