ଭୁବନେଶ୍ୱର : ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଚାଲିଥିବା ଉଚ୍ଛେଦ ବେଳେ ୩ଟି ବୃହତ୍ ପଥର ଖଣ୍ଡ ମିଳିଛି। ଲିଙ୍ଗରାଜ ମନ୍ଦିର ମେଘନାଦ ପାଚେରୀର ମାତ୍ର ୩୦ ମିଟର ଦୂରରୁ ଏହି ପଥର ମାଟି ତଳୁ ବାହାରିଛି। ମନ୍ଦିରର ଉତ୍ତର ଦ୍ବାର ପାର୍ଶ୍ବରେ ଖନନ ବେଳେ ପଥର ଖଣ୍ଡ ଉପରେ ଏକ୍ସକାଭେଟର ବାଜି ଅଟକି ଯାଇଥିଲା। ପଥରଖଣ୍ଡ କ୍ଷତିଗ୍ରସ୍ତ ହୋଇଥିଲା । ସେଗୁଡ଼ିକ ମେସିନ୍ ସାହାଯ୍ୟରେ ଉଠାଇବା ସମ୍ଭବ ହୋଇପାରିନାହିଁ। ୨ଟି ପଥର ଖଣ୍ଡ ୪୦ ଫୁଟ ଲମ୍ବ ଓ ୩ ଫୁଟ ଓସାର ବିଶିଷ୍ଟ। ପ୍ରତ୍ୟେକର ଓଜନ ୧୨ଟନ୍ରୁ ଅଧିକ ବୋଲି ଆକଳନ କରାଯାଇଛି। ଏହା ବ୍ୟତୀତ ସମାନ ଆକାରର ଆଉ ଏକ ପଥର ବାହାରିଛି। ଇନ୍ଟାକ୍ର ପ୍ରକଳ୍ପ ସଂଯୋଜକ ଅନିଲ୍ ଧୀର୍ କହିଛନ୍ତି, ଏହି ପଥର ଏକାଦଶ ଖ୍ରୀଷ୍ଟାବ୍ଦର ଏବଂ ଲିଙ୍ଗରାଜ ମନ୍ଦିର ନିର୍ମାଣ ସମସାମୟିକ। ଶ୍ରୀ ଧୀର୍ ପଥରଗୁଡ଼ିକ ଯାଞ୍ଚ କରି କହିଛନ୍ତି, ଏହି ଖୋଦିତ ପଥର ଖଣ୍ଡଗୁଡ଼ିକ ସମ୍ଭବତଃ ମନ୍ଦିରର ଚଉତରା, ସ୍ତମ୍ଭ ଓ ବିମ୍ ତିଆରି ପାଇଁ ଆସିଥିଲା। ତେବେ ଛୋଟ ଖାଲ ଅଂଶ ଯୋଗୁଁ ମନ୍ଦିର କାର୍ୟ୍ୟରେ ବ୍ୟବହୃତ ହୋଇପାରିନଥିଲା। ତେଣୁ ସେହିଭଳି କିଛି ପଥର ରହି ଯାଇଥିଲା। ମନ୍ଦିର ନିର୍ମାଣ କାରିଗର ହାତୁଡ଼ି ପ୍ରୟୋଗ ପରେ ଖାଲଗୁଡ଼ିକ ଥିବା ଜାଣିପାରି ସମ୍ଭବତଃ ଏହାର ବ୍ୟବହାର କରି ନଥାଇ ପାରନ୍ତି ବୋଲି ସେ କହିଛନ୍ତି।ଏହିଭଳି ଏକ ପଥର ଖଣ୍ଡ ପୁରୀ ଜଗନ୍ନାଥ ମନ୍ଦିର ଅଶ୍ୱଦ୍ବାର ନିକଟରେ ରହିଛି। ତା’ର ଆକାର ମଧ୍ୟ ଏହି ପଥର ଖଣ୍ଡ ସଦୃଶ। ଭକ୍ତମାନେ ଏହି ପଥରରେ ଗୋଟେ ପାର୍ଶ୍ବରେ ମୁଦ୍ରା ଘଷିଲେ ତାହାର ଶବ୍ଦ ଅନ୍ୟ ପାର୍ଶ୍ବରେ ଶୁଣିହୁଏ। ଏନେଇ ସେ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଭୁବନେଶ୍ବର କାର୍ୟ୍ୟାଳୟ ସହ ଯୋଗାଯୋଗ କରି ପଥର ଖଣ୍ଡଗୁଡ଼ିକୁ ସୁରକ୍ଷିତ ଭାବେ ବାହାର କରି ସଂରକ୍ଷଣ କରିବାକୁ ଆଲୋଚନା କରିଛନ୍ତି। ବିଶିଷ୍ଟ ପରିବେଶବିତ୍ ତଥା ଐତିହ୍ୟ କର୍ମୀ ଡ.ବିଶ୍ବଜିତ ମହାନ୍ତି କହିଛନ୍ତି, ଐତିହ୍ୟ କ୍ୟାବିନେଟ୍ ୨୦୧୮ ମସିହାରୁ ଗଠନ ହେଲାଣି। ମାତ୍ର ପୁରୀ ଓ ଭୁବନେଶ୍ବରର ଉନ୍ନତୀକରଣ ବ୍ୟତୀତ ଐତିହ୍ୟର ସଂରକ୍ଷଣ ନେଇ କୌଣସି ବୈଠକ ହୋଇନାହିଁ। ତେଣୁ ତୁରନ୍ତ ପୁରୀ ଓ ଭୁବନେଶ୍ବରରେ ଉନ୍ନତୀକରଣ କାମ ବନ୍ଦ କରି ଏକ କମିଟି ଗଠନ କରି ନିଷ୍ପତ୍ତି ନେବାକୁ ସେ ଦାବି କରିଛନ୍ତି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0