ଘୁଂଚିଲା ଜେଇଇ ଆଉ ନିଟ୍ ପରୀକ୍ଷା । ଏନେଇ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ । ବିଶେଷଜ୍ଞଙ୍କ ପରାମର୍ଶ ଆଧାରରେ ଏହି ନିଷ୍ପତି ନିଆଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇ ଓ ନିଟ୍ ପାଇଁ ନୂଆ ତାରିଖ ଘୋଷଣା କରାଯାଇଛି । କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁସାରେ, ଜେଇଇ ମେନ୍ ପରୀକ୍ଷା ଆସନ୍ତା ସେପ୍ଟେମ୍ବର ୧ରୁ ୬ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ସେହିପରି ଜେଇଇ ଆଡଭାନ୍ସ ପରୀକ୍ଷା ସେପ୍ଟେମ୍ବର ୨୭ ତାରିଖରେ ଅନୁଷ୍ଠିତ ହେବ । ଅନ୍ୟପଟେ ସେପ୍ଟେମ୍ବର ୧୩ ତାରିଖରେ ଅନୁଷ୍ଠିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ପୋଖରିଆଲ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଜେଇଇ ମେନ୍ ପ୍ରବେଶିକା ପରୀକ୍ଷା ଲାଗି ସାରା ଦେଶରେ ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ସେଥିମଧ୍ୟରେ ଓଡ଼ିଶାର ୩୮ହଜାର ପରୀକ୍ଷାର୍ଥୀ ରହିଛନ୍ତି। ସେପ୍ଟେମ୍ବର ୬ରେ ପରୀକ୍ଷା ଶେଷ ହେବା କ୍ଷଣି ମୂଲ୍ୟାୟନ ଆରମ୍ଭ ହେବ ଏବଂ ୫ ଦିନ ଅର୍ଥାତ୍ ସେପ୍ଟେମ୍ବର ୧୧ ସୁଦ୍ଧା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ଫଳରେ ଶ୍ରେଷ୍ଠ ଅଢ଼େଇ ଲକ୍ଷ ରୢାଙ୍କ ମଧ୍ୟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍ ପାଇଁ ନାମ ପଞ୍ଜୀକରଣ କରିପାରିବେ। ନିଟ୍ ଲାଗି ପ୍ରାୟ ୧୬ଲକ୍ଷ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ଓଡ଼ିଶାର ୪୫ହଜାର ଛାତ୍ରଛାତ୍ରୀ ଅଛନ୍ତି। ପରୀକ୍ଷା ସରିବାର ୨୦ ଦିନ ଭିତରେ ଫଳ ପ୍ରକାଶ ପାଇବ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0