ରାଜଗାଙ୍ଗପୁର: ବେଙ୍ଗାଲୁରୁରେ ମେଡିକାଲ କଲେଜରେ ନାମ ଲେଖାଇବା ନାଁରେ କୋଟିଏରୁ ଅଧିକ ଟଙ୍କାର ଠକେଇ। ୧୪ ଲକ୍ଷ ଟଙ୍କା ଠକେଇ ଶିକାର ହୋଇଥିବା ଜଣେ ଛାତ୍ରଙ୍କ ବାପା ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ଏଭଳି ଘଟଣା ପଦାକୁ ଆସିଛି। କିନ୍ତୁ ପୁଲିସ କେବଳ ମାମଲା ରୁଜୁ କରି ବସି ପଡ଼ିଛି। ଠକେଇରେ ସଂପୃକ୍ତ ଥିବା ଅଭିଯୁକ୍ତମାନଙ୍କ ବିରୋଧରେ ପୁଲିସ ଏ ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ନ୍ୟାୟ ପାଇବା ପାଇଁ ଛାତ୍ରଙ୍କ ବାପା ରାଜଗାଙ୍ଗପୁରରୁ ରାଜଧାନୀ ପର୍ଯ୍ୟନ୍ତ ଚକ୍କର କାଟୁଛନ୍ତି। କିନ୍ତୁ କେହି ତାଙ୍କ କଥା ଶୁଣୁନାହାନ୍ତି। ଯାହାକୁ ନେଇ ସେ କମିସନରେଟ ପୁଲିସ ଉପରେ ସେ ତୀବ୍ର ଅସନ୍ତୋଷ ପ୍ରକଟ କରିଛନ୍ତି।
ରାଜଗାଙ୍ଗପୁର ଶ୍ରୀରାମ କଲୋନିରେ ରହୁଥିବା ଧରଣୀଧର ବେହେରାଙ୍କ ପୁଅ ତନ୍ମୟ ବେହେରା ଭୁବନେଶ୍ୱର ସତ୍ୟନଗର ଅଞ୍ଚଳରେ ରହି ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ଦେବାଶିଷ ସାହୁ ନାମକ ଜଣେ ଯୁବକଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ଦେବାଶିଷ ତାଙ୍କୁ ଲକ୍ଷ୍ମୀସାଗର ଥାନା ଅଧୀନ ଶ୍ରୀଦେବୀ ଛକ ନିକକଟ ବିଜେବି ନଗରରେ ଥିବା ସ୍ମିତସ୍ ନାମକ ଏକ ମେଡିକାଲ କନସଲଟାନ୍ସିକୁ ନେଇ ଯାଇଥିଲେ। ସେଠାରେ ତାଙ୍କୁ କୁହାଯାଇଥିଲା ଯେ ୬୦ ଲକ୍ଷ ଟଙ୍କା ଦେଲେ ସେ ବେଙ୍ଗାଲୁରୁରେ ଥିବା ବିଜିଏସ୍ ମେଡିକାଲ କଲେଜରେ ନାମ ଲେଖାଇ ଦେବେ। ତନ୍ମୟ ଏ ସମ୍ପର୍କରେ ତାଙ୍କ ବାପାଙ୍କୁ ଖବର ଦେଇଥିଲେ। ବାପା ଭୁବନେଶ୍ୱର ପହଞ୍ଚି ପର୍ଯ୍ୟାକ୍ରମେ ୧୪ ଲକ୍ଷ ଟଙ୍କା ଦେଇଥିଲେ। ନାମ ଲେଖାଇବା ପରେ ଆଉ ଟଙ୍କା ଦେବେ ବୋଲି କହିଥିଲେ। ତେବେ ଟଙ୍କା ଦେବାର କିଛି ଦିନ ପରେ ସଂସ୍ଥାର ଆଉ ଦେଖା ମିଳି ନଥିଲା।
ସଂସ୍ଥାରେ ଥିବା ସୁଶାନ୍ତ ମହାନ୍ତି, ସୁମିତ ବିଶ୍ୱାଳ ଓ ରତିକାନ୍ତଙ୍କର ମଧ୍ୟ ପତ୍ତା ମିଳିଲା ନାହିଁ। ଧରଣୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଗଲା। ଏ ନେଇ ଧରଣୀ ପ୍ରଥମେ ଲକ୍ଷ୍ମୀସାଗର ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ। କିନ୍ତୁ ପୁଲିସ ସେଠାରେ ତାଙ୍କ ଅଭିଯୋଗ ଗ୍ରହଣ କରି ନ ଥିଲା। ଶେଷରେ ବାଧ୍ୟ ହୋଇ ଧରଣୀଧର ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କ ପାଖକୁ ଯାଇ ଅଭିଯୋଗ କରିଥିଲେ। ଶ୍ରୀ ଷଡ଼ଙ୍ଗୀଙ୍କ ନିର୍ଦେଶକ୍ରମେ ଲକ୍ଷ୍ମୀସାଗର ଥାନାର ପୂର୍ବତନ ଇନ୍ସପେକ୍ଟର ଦୟାନିଧି ନାୟକ ଥାନାରେ କେସ୍ ନମ୍ବର ୬୮/୨୦୨୦ ଦଫା ୪୨୦ରେ ମାମଲା ରୁଜୁ କରିଥିଲେ। ମାମଲା ରୁଜୁ କରିବାର ଅନେକ ଦିନ ହୋଇ ଗଲାଣି। କିନ୍ତୁ ପୁଲିସ ଏଯାଏ କାହାରିକୁ ଗିରଫ କରିନାହିଁ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0