ଆସିକା : ଗଞ୍ଜାମ ଜିଲ୍ଲାର ଗର୍ବ ଓ ଗୌରବ ବହନ କରୁଥିବା ଏହି ସୂତାକଳ ଆଜି ଭୂତକୋଠି ପାଲଟି ଯାଇଛି। ୧୯୮୩ ମସିହାରେ ନିର୍ମିତ ଏହି ସୂତାକଳ ବନ୍ଦ ହୋଇ ଇତିମଧ୍ୟରେ ୭ ବର୍ଷରୁ ଅଧିକ ସମୟ ବିତି ସାରିଲାଣି ସତ। କିନ୍ତୁ ଏହାର ପୁନରୁଦ୍ଧାର ଓ ପୁନଃକାର୍ୟ୍ୟକ୍ଷମ ଦିଗରେ ରାଜ୍ୟ ସରକାର କାହିଁକି ତତ୍ପରତା ଦେଖାଉନାହାନ୍ତି, ଏହାକୁ ନେଇ ବର୍ତ୍ତମାନ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବର୍ତ୍ତମାନ ପରିସ୍ଥିତିରେ ଲକ୍ଷାଧିକ ପ୍ରବାସୀ ଶ୍ରମିକ ରାଜ୍ୟ ବାହାରୁ ଭିଟାମାଟିକୁ ଫେରିଥିବା ବେଳେ ଏହି ସୂତାକଳ ବର୍ତ୍ତମାନ ଆଲୋଚନାର ପ୍ରସଙ୍ଗ ପାଲଟିଛି। ଗଣମାଧ୍ୟମଠୁ ଆରମ୍ଭ କରି ବୁଦ୍ଧିଜୀବୀଙ୍କ ସଭିଙ୍କ ମହଲରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଖାଲି ଏତିକି ନୁହେଁ, କିଛି ପୁରୁଖା ରାଜନେତା ଓ ବୁଦ୍ଧିଜୀବୀମାନେ ଆସିକା ସୂତାକଳକୁ ପୁନଃକାର୍ୟ୍ୟକ୍ଷମ କରିବା ପାଇଁ ସରକାରଙ୍କ ପାଇଁ ଏହା ଉପଯୁକ୍ତ ସମୟ ବୋଲି ମତ ରଖିଛନ୍ତି। କାରଣ ସୂତାକଳ ବନ୍ଦ ହୋଇଯିବା ପରେ ୫୦୦ରୁ ଅଧିକ ପୁରୁଷ ଓ ମହିଳା ଶ୍ରମିକ ଜୀବିକା ହରାଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ପଳାଇଥିବା ବେଳେ କେବଳ ୫ଜଣ ସୁରକ୍ଷାକର୍ମୀ ଏହାକୁ ଜଗି ରହିଛନ୍ତି।
ଗଞ୍ଜାମ ଜିଲ୍ଲା ଯୁବକଯୁବତୀଙ୍କୁ ରୋଜଗାର ଯୋଗାଇ ଦେବା ଲାଗି ରାଜ୍ୟ ସରକାରଙ୍କ ଅଧୀନ ଇଡକଲ୍ ସହଯୋଗିତାରେ ପ୍ରାୟ ୧୧ କୋଟି ଟଙ୍କା ବ୍ୟୟରେ ଏହି ସୂତାକଳ ସ୍ଥାପନ ହୋଇଥିଲା। ୧୯୮୭ ମସିହାରେ ଏହା କାର୍ୟ୍ୟକ୍ଷମ ହେଲା। ଏଠାରୁ ପ୍ରସ୍ତୁତ କଟନ୍ ଓ ସିନ୍ଥେଟିକ୍ ସୂତାକୁ ଭୁବନେଶ୍ବର, ମୁମ୍ବାଇ, କୋଲକାତା, ହାଇଦ୍ରାବାଦ ଓ କାନପୁର ଭଳି ସହରକୁ ପଠାଯାଉଥିଲା। ଉନ୍ନତମାନର ଯନ୍ତ୍ରପାତି ସାଙ୍ଗକୁ ଗଞ୍ଜାମ ଜିଲ୍ଲା ଓ ବାହାରୁ ତୁଳା ଏବଂ ଅନ୍ୟ କଞ୍ଚାମାଲ୍ କିଣି ସୂତା ପ୍ରସ୍ତୁତ ହେଉଥିଲା। ଯାହାକି ସାରା ଦେଶରେ ସୁନାମ ଅର୍ଜନ କରିଥିଲା।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0