spot_img

ଆସନ୍ତା ୧୮ରୁ କୋଭିଡ କଟକଣା ଭିତରେ ଆରମ୍ଭ ହେବ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା

କଟକ : ଆରଟିଓ ଅଫିସରେ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା କାର୍ୟ୍ୟକ୍ରମ ଆସନ୍ତା ୧୮ ତାରିଖରୁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସ୍ଲଟ ବୁକିଂ ୧୪ ତାରିଖଠାରୁ କରାଯିବ। ଏଲଏଲ ଟେଷ୍ଟ, ନୂଆ ଏଲଏଲ କିମ୍ବା ଡିଏଲ୍ ଆବେଦନ ସଂକ୍ରାନ୍ତ ବିଜ୍ଞପ୍ତି ପରବର୍ତ୍ତୀ ପର୍ୟ୍ୟାୟରେ ପ୍ରକାଶ ପାଇବ। କୋଭିଡ ଲକ୍ଷଣ ଥିବା ବ୍ୟକ୍ତି କୌଣସି ପରିସ୍ଥିତିରେ ଡିଏଲ୍ ଟେଷ୍ଟ ଦେଇପାରିବେ ନାହିଁ। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ପୁଲିସର ସହାୟତା ନିଆଯିବାକୁ ନିଷ୍ପତ୍ତି ହୋଇଥିବା ପରିବହନ କମିସନର କାର୍ୟ୍ୟାଳୟ ସ୍ପଷ୍ଟ କରିଛନ୍ତି। ସୂଚନା ଅନୁଯାୟୀ, କୋଭିଡ-୧୯ର ସ୍ଥିତିକୁ ନଜରରେ ରଖି ଗଲା ମାର୍ଚ୍ଚ ୨୫ ତାରିଖଠାରୁ ରାଜ୍ୟରେ ଡିଏଲ୍ ଏବଂ ଏଲଏଲ ଲାଇସେନ୍ସ କାର୍ୟ୍ୟକ୍ରମ ବନ୍ଦ କରିଦିଆଯାଇଥିଲା। ସ୍ଲଟ ବୁକିଂ ମାର୍ଚ୍ଚ ୧୮ ତାରିଖଠାରୁ ବନ୍ଦ କରି ଦିଆଯାଇଥିଲା। ଗଲା ମାର୍ଚ୍ଚ ୧୮ ତାରିଖରୁ ଡିସେମ୍ବର ୩୧ ତାରିଖ ଭିତରେ ବୈଧତା ଶେଷ ହୋଇଥିବା ଲର୍ଣ୍ଣିଂ ଲାଇସେନ୍ସର ବୈଧତା ଡିସେମ୍ବର ୩୧ ତାରିଖ ପର୍ୟ୍ୟନ୍ତ ଜାରି ରହିବ। ଯେଉଁମାନେ ଡିଏଲ କିମ୍ବା ଏଲଏଲ ପାଇଁ ଟଙ୍କା ଜମା କରିଥିବେ ଚାଲାଣର ବୈଧତା ରହିବ। ଡିଏଲ ଟେଷ୍ଟ ସ୍ଲଟ ବୁକିଂ ଆସନ୍ତା ୧୪ ତାରିଖ ଦିନ ପ୍ରାୟ ୧୧ଟାରୁ ଆରମ୍ଭ କରାଯିବ। ଦୈନିକ ସକାଳ ୭ଟାରୁ ରାତି ୧୦ଟା ଯାଏ ସ୍ଲଟ ବୁକିଂ କରାଯାଇପାରିବ। ସକାଳ ୭ଟାବେଳେ ସ୍ଲଟ ଖୋଲିବା ସମୟରେ କେହି ଚାହିଁଲେ ମନ ମୁତାବକ ସ୍ଲଟ୍ ବୁକ୍ କରିପାରିବେ। ଡିଏଲ୍ ରିନୁଆଲ୍ ସହିତ ରିଟେଷ୍ଟ ବି କରାଯାଇପାରିବ। ଡିଏଲ୍ ଟେଷ୍ଟ ଆସନ୍ତା ୧୮ ତାରିଖରୁ ଆରମ୍ଭ କରାଯିବ। ଏଲଏଲ ଟେଷ୍ଟ ନିର୍ଦ୍ଦିଷ୍ଟ ଭାବେ କେବେ ଆରମ୍ଭ କରାଯିବ, ସେ ସଂକ୍ରାନ୍ତରେ ପୁନଃ ବିଜ୍ଞପ୍ତି ପ୍ରକାଶ ପାଇବ। ଆରଟିଓ ଅଫିସ ଆସୁଥିବା ପ୍ରତ୍ୟେକ ଗାଡ଼ି ମାଲିକ ଓ ଡ୍ରାଇଭର୍ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ପାଳନ ବାଧ୍ୟତାମୂଳକ କରାଯାଇଛି। କଣ୍ଟେନମେଣ୍ଟ ଜୋନରୁ ଆସୁଥିବା ବ୍ୟକ୍ତିଙ୍କୁ କୌଣସି ପ୍ରକାର ଟେଷ୍ଟ ଦେବାକୁ ଅନୁମତି ମିଳିବ ନାହିଁ। ଯଦି କେହି ନିୟମ ଉଲଂଘନ କରି ଆରଟିଓ ଅଫିସ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରନ୍ତି, ତେବେ ଆରଟିଓ ପକ୍ଷରୁ ସ୍ଥାନୀୟ ପୁଲିସକୁ ଏ ସଂକ୍ରାନ୍ତରେ ଅବଗତ କରାଯିବ । ଆବେଦନକାରୀମାନେ ଆରଟିଓ ଅଫିସ ଆସିବା ସମୟରେ ସେମାନଙ୍କ ପରିବାର କିମ୍ବା ସମ୍ପର୍କୀୟଙ୍କୁ ସାଙ୍ଗରେ ଆଣି ଭିଡ଼ ସୃଷ୍ଟି ନ କରିବାକୁ ପରାମର୍ଶ ଦିଆଯାଇଛି। କରୋନା ଲକ୍ଷଣ ଥିବା ଆବେଦନକାରୀ କୌଣସି ପ୍ରକାର ଟେଷ୍ଟ ଦେଇପାରିବେ ନାହିଁ। ନୂଆ ଡିଏଲ୍ କିମ୍ବା ଏଲଏଲ ଆବେଦନ କରିବାକୁ ଇଚ୍ଛୁକ ଥିବା ଆବେଦନକାରୀଙ୍କ ପାଇଁ ପରବର୍ତ୍ତୀ ପର୍ୟ୍ୟାୟରେ ସୂଚନା ପ୍ରକାଶ କରାଯିବ। କରୋନା ସ୍ଥିତି ଭୟଙ୍କର ହେଲେ ଆରଟିଓ ଅଫିସ ବନ୍ଦ ହେବା ପରିସ୍ଥିତି ସୃଷ୍ଟି ହେଲେ ଟେଷ୍ଟ ବାତିଲ୍ ହେବାର ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular