ରାୟଗଡ଼ା : କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ମୁନିଗୁଡ଼ା ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ଦେହୁରୀଙ୍କ ବ୍ରହ୍ମପୁରସ୍ଥିତ ଅଶ୍ବିନୀ ହସ୍ପିଟାଲରେ ଆଜି ଅପରାହ୍ନରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଖବର ପ୍ରଚାରିତ ହେବା ପରେ ଜିଲ୍ଲା ପୁଲିସ୍ ବିଭାଗ ସମେତ ମୁନିଗୁଡ଼ା ସହରବାସୀ ସ୍ତବ୍ଧ ହୋଇ ଯାଇଛନ୍ତି। ଥାନା ଅଧିକାରୀଙ୍କ ସ୍ମୃତିରେ ଆସନ୍ତାକାଲି ମୁନିଗୁଡ଼ା ବଜାର ବନ୍ଦ ରଖିବାକୁ ମୁନିଗୁଡ଼ା ବିକାଶ ପରିଷଦ ଓ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି। ସପ୍ତାହକ ତଳେ ଅସୁସ୍ଥତା ଅନୁଭବ କରିବା ପରେ କୋଭିଡ୍ ପରୀକ୍ଷା କରିଥିଲେ ଶ୍ରୀ ଦେହୁରୀ। ସ୍ବାବ୍ ରିପୋର୍ଟ ପଜିଟିଭ୍ ଆସିବା ପରେ ଚିକିତ୍ସା ପାଇଁ ୬ ତାରିଖରେ ଜେକେପୁର କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ୭ ତାରିଖରେ ଅବସ୍ଥା ସଂକଟାପନ୍ନ ହେବା ପରେ ବ୍ରହ୍ମପୁର ଅଶ୍ବିନୀ ହସ୍ପିଟାଲାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଥିବା କୋରାପୁଟ ଏସ୍ପି ସ୍ପଷ୍ଟ କରିଛନ୍ତି। ରାୟଗଡ଼ାର ଜିଲ୍ଲାରୁ ଆଜି ୫୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୁନିଗୁଡ଼ାରୁ ସର୍ବାଧିକ ୨୧, ରାୟଗଡ଼ା ସହରରୁ ୧୩, କାଶୀପୁରରୁ ୯, ଗୁଣପୁର ସହରରୁ ୫, କଲ୍ୟାଣସିଂହପୁରରୁ ୪, ଚନ୍ଦ୍ରପୁରରୁ ୨, ରାୟଗଡ଼ା ଗ୍ରାମାଞ୍ଚଳରୁ ୨, ବିଷମକଟକ, ପଦ୍ମପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।



Visitors Today : 1
Total Visitors : 130430
Total Views : 9891961
Visitors Online Now : 0