ଭୁବନେଶ୍ୱର : କରୋନା ମହାମାରୀ ବେଳେ ରାଜ୍ୟର ହଜାର ହଜାର ସଫେଇ କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ସହରକୁ ପରିଷ୍କାର ରଖୁଛନ୍ତି। କରୋନା ଆକ୍ରାନ୍ତଙ୍କ ବର୍ଜ୍ୟ ଉଠାଉଛନ୍ତି। ଏପରିକି ବହୁ ସଫେଇ କର୍ମଚାରୀ କରୋନା ଆକ୍ରାନ୍ତ ହୋଇସାରିଲେଣି। ଠିକ୍ ଏହି ସମୟରେ ସେମାନଙ୍କ ପାଇଁ ରାଜ୍ୟ ସରକାର ଖୁସି ହେବାର ସୁଯୋଗ ଆଣିଦେଇଛନ୍ତି। ରାଜ୍ୟର ୧୧୪ଟି ପୌରସଂସ୍ଥାରେ କାମ କରୁଥିବା ସଫେଇ କର୍ମଚାରୀଙ୍କ କଲ୍ୟାଣ ପାଇଁ ‘ଗରିମା’ ଯୋଜନା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନାରେ ସେପ୍ଟିକ୍ ଟାଙ୍କି ତଥା ଅନ୍ୟ ବିପଦପୂର୍ଣ୍ଣ ସ୍ଥାନରୁ ମଇଳା କାଢୁଥିବା ସଫେଇ କର୍ମଚାରୀମାନେ ଉପକୃତ ହେବେ। ୧୧୪ଟି ପୌରସଂସ୍ଥାରେ କାମ କରୁଥିବା ପ୍ରାୟ ୨୦ହଜାର କର୍ମଚାରୀଙ୍କର ଏକ ଲକ୍ଷ ପରିବାର ସଦସ୍ୟ ଏହାଦ୍ବାରା ଉପକୃତ ହେବେ।
ଏଥିରେ ସେମାନଙ୍କୁ ସ୍ବତନ୍ତ୍ର ଭତ୍ତା, ସ୍ବାସ୍ଥ୍ୟ ସୁବିଧା, ଜୀବନ ବୀମା, ପିଲାଙ୍କ ପାଇଁ ଉଚ୍ଚଶିକ୍ଷା, ଗୃହନିର୍ମାଣ ଓ ଦୁଇ ଚକିଆ ଗାଡ଼ି କିଣିବା ପାଇଁ ୯୦ ପ୍ରତିଶତ ଅନୁଦାନ, ବ୍ୟକ୍ତିଗତ ସୁରକ୍ଷା ଉପକରଣ, ଅନୁକମ୍ପାମୂଳକ ସହାୟତା, ଇପିଏଫ୍, ଇଏସଆଇ, ଏବଂ ପରିବାର ପେନ୍ସନ ଆଦି ବିଭିନ୍ନ କଲ୍ୟାଣ ଯୋଜନାର ସହାୟତା ଯୋଗାଇ ଦିଆଯିବ। ଏହି ଯୋଜନାକୁ ସଫଳ କରିବା ପାଇଁ ପ୍ରାଥମିକ ପର୍ୟ୍ୟାୟରେ ୫୦ କୋଟି ଟଙ୍କାର କର୍ପସ ପାଣ୍ଠି ରଖିବା ସହ ଏକ ସ୍ବତନ୍ତ୍ର ରାଜ୍ୟ କମିସନ୍ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0