ନୂଆଦିଲ୍ଲୀ: ଜିଏସଟି ପରିଷଦ ବୈଠକ ଅକ୍ଟୋବର ୫ ତାରିଖ ଯାଏଁ ଟଳିଲା । ସେପ୍ଟେମ୍ବର ୧୯ ତାରିଖରେ ଜିଏସଟି ପରିଷଦର ୪୨ ତମ ବୈଠକ ହେବାର ଥିଲା । ଏହି ସମୟରେ ସଂସଦର ବୈଠକ ଚାଲୁଥିବାରୁ ପରିଷଦର ବୈଠକକୁ ଘୁଞ୍ଚାଇ ଦିଆଯାଇଛି । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଜିଏସଟି ସଂଗ୍ରହଣ ୨.୩୫ ଲକ୍ଷ କୋଟି ଟଙ୍କା କମ୍ କାରଣରୁ ବିତ୍ତପୋଷଣ ପ୍ରସଙ୍ଗ ଉପରେ ବିବାଦ ଚାଲିଛି । କେନ୍ଦ୍ର ଗଣନା ଅନୁସାରେ ଏଥିରେ ୯୭,୦୦୦ କୋଟି ଟଙ୍କାର ସ୍ୱଳ୍ପତା ଜିଏସଟି କାର୍ଯ୍ୟାନ୍ୱୟନରେ ଯୋଡ଼ି ହୋଇଛି । ରାଜ୍ୟର ରାଜସ୍ୱରେ କୋଭିଡ଼୍ ପ୍ରଭାବ କାରଣରୁ ବାକି ୧.୩୮ ଲକ୍ଷ କୋଟି ଟଙ୍କା ନିଅଣ୍ଟ ହୋଇଛି । କେନ୍ଦ୍ର ଗତ ମାସରେ ରିଜର୍ଭ ବ୍ୟାଙ୍କ ଦ୍ୱାରା ଉପଲବ୍ଧ ହେଉଥିବା ବିଶେଷ ସୁବିଧା ଅନୁସାରେ ୯୭,୦୦୦ କୋଟି ଟଙ୍କା ଋଣ କିମ୍ବା ବଜାରରୁ ୨.୩୫ ଲକ୍ଷ କୋଟି ଟଙ୍କା ଯୋଗାଡ଼ କରିବାକୁ ଦୁଇଟି ବିକଳ୍ପ ଦେଇଥିଲେ । ଏହା ଛଡ଼ା ବିଳାସ ଓ ଅହିତକର ବସ୍ତୁ ଉପରେ କର ୨୦୨୨ ରୁ ଆଗକୁ ବଢ଼ାଇବା ପାଇଁ ପ୍ରସ୍ତାବ ଦେଇଥିଲେ । ୬ଟି ଅଣ ବିଜେପି ଶାସିତ ରାଜ୍ୟ – ପଶ୍ଚିମ ବଙ୍ଗ, କେରଳ, ଦିଲ୍ଲୀ, ତେଲେଙ୍ଗାନା, ଛତିଶଗଡ଼ ଓ ତାମିଲନାଡ଼ୁ କେନ୍ଦ୍ରକୁ ଚିଠି ଲେଖି ରାଜ୍ୟ ଦ୍ୱାରା କର ନେବାର ବିକଳ୍ପକୁ ବିରୋଧ କରିଥିଲେ । ମିଳିଥିବା ସୂଚନା ମୁତାବକ ସେପ୍ଟେମ୍ବର ୮ ତାରିଖରେ ସାତଟି ରାଜ୍ୟ ନିଜ ପସନ୍ଦର ବିକଳ୍ପ ବିଷୟରେ କେନ୍ଦ୍ରକୁ ସୂଚିତ କରି ସାରିଛନ୍ତି । ଗୁଜୁରାଟ, ବିହାର, ମଧ୍ୟପ୍ରଦେଶ , କର୍ଣ୍ଣାଟକ ଓ ତ୍ରିପୁରା ୯୭,୦୦୦ କୋଟି ଟଙ୍କା ଋଣ ନେବାର ବିକଳ୍ପ ବାଛିଛନ୍ତି । ଅନ୍ୟପଟେ ସିକିମ୍ ଓ ମଣିପୁର ୨.୩୫ ଲକ୍ଷ କୋଟି ଟଙ୍କା ବଜାରରୁ ଯୋଗାଡ଼ କରିବା ବିକଳ୍ପ ବାଛିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0