spot_img

ଆତ୍ମନିର୍ଭର ଭାରତର ଉଦାହରଣ ପାଲଟିଲେ ସମିମ

ଝାରସୁଗୁଡ଼ା: ସାରା ଦେଶ ଏବେ କରୋନା ସହ ଲଢୁଛି । କିଛି ଦିନ ପୂର୍ବରୁ ଭାରତ ଏବଂ ଚୀନର ସମ୍ପର୍କରେ ତିକ୍ତତା ଆସିଥିଲା । ଯାହାଫଳରେ ସାଧାରଣ ଲୋକ ଚୀନ ସାମଗ୍ରୀକୁ ବର୍ଜନ କରିଥିଲେ । ତିକ୍ତତା ପରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭରଶୀଳ ଭାରତ ପାଇଁ ଆହ୍ୱାନ ଦେଇଥିଲେ । ଏହି ଆହ୍ୱାନକୁ କାର୍ଯ୍ୟରେ ପରିଣତ କରିବାକୁ ଝାରସୁଗଡ଼ା ସହରର ମହମ୍ମଦ ସମିମ ଆଗେଇ ଆସିଛନ୍ତି । ଚାଇନା ସାମଗ୍ରୀ ଭଳି ଅତ୍ୟାବଶ୍ୟକ ଆସବାବପତ୍ର ନିଜେ ନିର୍ମାଣ କରିବା ଆରମ୍ଭ କରିଛନ୍ତି ।

samim

ଝାରସୁଗୁଡ଼ା ମଙ୍ଗଳବଜାର ଅଞ୍ଚଳର ମହମ୍ମଦ ସମିମ ଆତ୍ମନିର୍ଭରଶୀଳ ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବା ପାଇଁ ଆଗଭର ହୋଇଛନ୍ତି । ତାଙ୍କ ପାଖରେ ବଡ଼ ପୁଞ୍ଜି ନଥିଲେ ମଧ୍ୟ ଦୃଢ ଆତ୍ମବିଶ୍ୱାସ ଅଛି । ଯେଉଁଥିପାଇଁ ସେ ଆରମ୍ଭ କରିଛନ୍ତି କ୍ଷୁଦ୍ରଶିଳ୍ପ । ମଙ୍ଗଳବଜାର ଅଞ୍ଚଳରେ ଏକ କୁଡ଼ିଆ ଘରେ ନିଜ ପରିବାର ସହ ରହୁଛନ୍ତି ସମିମ । ସେହି ଘର ଅଗଣାରେ ଅତ୍ୟାବଶ୍ୟକ ଆସବାବପତ୍ର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଛନ୍ତି । ଆଉ ସେଠାରୁ ପ୍ରସ୍ତୁତ ସାମଗ୍ରୀକୁ ଝାରସୁଗୁଡ଼ାର ବିଭିନ୍ନ ଛକ ମାନଙ୍କରେ ବିକ୍ରି କରୁଛନ୍ତି । ସେଥିମଧ୍ୟରୁ ସମିମଙ୍କ ପ୍ରସ୍ତୁତ ଚେୟାର ଦେଖିବାକୁ ଗୋଟିଏ ବାକ୍ସ ଭଳି । କିନ୍ତୁ ତାକୁ ଖୋଲିଲେ ସେଥିରୁ ବାହାରୁଛି ୫ଟି ଚେୟାର । ଯାହା ଦେଖିବାକୁ ସୁନ୍ଦର ଓ ଘରେ ରଖିବାକୁ କମ୍ ସ୍ଥାନ ଆବଶ୍ୟକ କରେ । ସମିମଙ୍କ ପତ୍ନୀ ସିମ୍ରନ ତାଙ୍କର ଏଭଳି ପ୍ରୟାସରେ ସହଯୋଗର ହାତ ବଢେଇଛନ୍ତି ।
ଆତ୍ମନିର୍ଭର ଭାରତ, ଷ୍ଟାର୍ଟ ଅପ ଇଣ୍ଡିଆ ଭଳି ଯୋଜନା କରି ନୂଆ ଶିଳ୍ପୋଦ୍ୟୋଗୀ ଗଢ଼ିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଆଉ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ କାର୍ଯ୍ୟରେ କରି ଦେଖାଇ ଦେଇଛନ୍ତି ଝାରସୁଗୁଡ଼ାର ସମିମ । ଆତ୍ମନିର୍ଭର ହେବା ସହ ସମଗ୍ର ଦେଶ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular