ଭୁବନେଶ୍ୱର: ସାରା ରାଜ୍ୟରେ କରୋନା ତାର କାୟା ବିସ୍ତାର କରିଚାଲିଛି । ତେବେ ଏନେଇ ରାଜ୍ୟ ସରକାର ଘରୋଇ ହସ୍ପିଟାଲରେ କରୋନା ଚିକିତ୍ସା ସମ୍ପର୍କରେ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ୩୦ ଓ ୩୦ରୁ ଅଧିକ ଶଯ୍ୟା ବିଶିଷ୍ଟ ଘରୋଇ ହସ୍ପିଟାଲ ଏଣିକି ନିଜର ୫୦ ପ୍ରତିଶତ ଶଯ୍ୟା ଓ ୮୦ ପ୍ରତିଶତ ଆଇସିୟୁକୁ କୋଭିଡ଼ ରୋଗୀଙ୍କ ପାଇଁ ସଂରକ୍ଷିତ ରଖିବା ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଭୁବନେଶ୍ୱର ସମେତ କଟକ, ସମ୍ବଲପୁର ଓ ରାଉରକେଲା ମୁ୍ୟନିସିପାଲଟିରେ ଏହି ନିୟମ ଲାଗୁ ହେବ । ପୂର୍ବରୁ ଘରୋଇ ହସ୍ପିଟାଲରେ ମାତ୍ର ୧୦ ପ୍ରତିଶତ ଶଯ୍ୟା କୋଭିଡ଼ ରୋଗୀଙ୍କ ପାଇଁ ଥିବାବେଳେ ଆବଶ୍ୟକ ପଡ଼ିଲେ ସଂପୂର୍ଣ୍ଣ ହସ୍ପିଟାଲକୁ କୋଭିଡ଼ ହସ୍ପିଟାଲରେ ପରିଣତ କରିବାଲାଗି ନିଷ୍ପତି ନିଆଯାଇପାରେ ବୋଲି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛି ।
ସୂଚନାଅନୁଯାୟୀ, ଗତ ୨୮ ତାରିଖରେ ରାଜ୍ୟ ସରକାର ଘରୋଇ ହସ୍ପିଟାଲରେ କୋଭିଡ଼ ଚିକିତ୍ସା ପାଇଁ ଦର ଧାର୍ଯ୍ୟ କରିଥିଲେ । ତଦନୁଯାୟୀ ସାଧାରଣ ଶଯ୍ୟା ପାଇଁ ଦୈନିକ ୨୯୫୦-୪୭୫, ଆଇସିୟୁ ୧୦-୧୭ ହଜାର ଓ ଆଇସିୟୁ ସହିତ ଭେଣ୍ଟିଲେଟର ୧୨-୧୮ ହଜାର ଧାର୍ଯ୍ୟ ହୋଇଛି । ସାଧାରଣ ଶଯ୍ୟା ପାଇଁ ନ୍ୟାସନାଲ ଆକ୍ରିଡ଼େସନ ବୋର୍ଡ଼ ଫର ହସ୍ପିଟାଲ୍ସ ଆଣ୍ଡ ହେଲ୍ଥ କେୟାର ପ୍ରୋଭାଇଡ଼ର୍ସ ଅଣ-ସ୍ୱୀକୃତିପ୍ରାପ୍ତ ହସ୍ପିଟାଲରେ ୧୨ ଶହ ଟଙ୍କା ଥିବାବେଳେ ଏନଏବିଏଚ ପାଇଁ ୩ ହଜାର ଧାର୍ଯ୍ୟ କରାଯାଇଛି । ମାତ୍ର ଉଭୟ ହସ୍ପିଟାଲ ପାଇଁ ଅନ୍ୟାନ୍ୟ ଖର୍ଚ୍ଚ ଦୈନିକ ୧୭୫୦ ଟଙ୍କା ସ୍ଥିର କରାଯାଇଛି ।
ସେହିପରି ଆଇସିୟୁ ଦର ଅଣ-ଏନଏବିଏଚ ପାଇଁ ଶଯ୍ୟା ୨ହଜାର ଓ ଏନଏବିଏଚ ପାଇଁ ୫ହଜାର ଧାର୍ଯ୍ୟ ଥିବାବେଳେ ଅଣ-ଏନଏବିଏଚ ପାଇଁ ଅନ୍ୟାନ୍ୟ ଖର୍ଚ୍ଚ ୮ହଜାର ଓ ଏନଏବିଏଚ ପାଇଁ ୧୨ ହଜାର ସ୍ଥିର କରାଯାଇଛି । ଏହାସହ ଆଇସିୟୁ ସହିତ ଭେଣ୍ଟିଲେଟର ଦର ଅଣ-ଏନଏବିଏଚ ଓ ଏନଏବିଏଚ ପାଇଁ ୨-୫ହଜାର ଥିଲେ ହେଁ, ଅନ୍ୟାନ୍ୟ ଖର୍ଚ୍ଚ ଅଣ-ଏନଏବିଏଚ ପାଇଁ ୧୦ହଜାର ଓ ଏନଏବିଏଚ ପାଇଁ ୧୩ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0