ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ତହସିଲ ଅଧିନ କାଠପାଳ ନିକଟରେ ଥିବା ସୋନନଦୀରୁ ଦିନ ରାତି ଲୁଟ ହେଉଛି ବାଲି। ଆଉ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧିକୁ ଦେଖି ସ୍ଥାନୀୟ ପ୍ରଶାସନ କୋମାକୁ ଚାଲିଯାଇଛି କି ବୋଲି ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ। ମୟୁରଭଞ୍ଜରୁ ପ୍ରବାହିତ ହୋଇ ଆସିଥିବା ସୋନନଦୀ ଏବେ ବାଲିମାଫିଆଙ୍କ କବଜାରେ ରହିଛି। କାଠପାଳ ଅଞ୍ଚଳରେ ଦିନରାତି ଏକ କରିଦେଇଛନ୍ତି ବାଲି ମାଫିଆ।
ଚଳିତ ବର୍ଷ ନଦୀରେ ପାଣି ଆସିବା ଫଳରେ ବାଲି ଚାରିଆଡ଼େ ଭରପୁର ହୋଇଯାଇଛି। ପୂର୍ବରୁ ପୁନଦାଳ,ଡୁମଗଣ୍ଡିରା ଅଞ୍ଚଳରେ ବାଲି ଚୋରି ପାଇଁ କୋଟିକୋଟି ଟଙ୍କାର ରାଜସ୍ୱ ହାନି ହୋଇଆସୁଥିବା ଅଭିଯୋଗ ହେଉଥିଲା। ନଦୀକୂଳ ଖାଇ ଗାଁକୁ ବନ୍ୟାଜଳ ପ୍ରବେଶ କରିବା ଅଭିଯୋଗ କରି କିଛି ଅଞ୍ଚଳବାସୀ କୋଟିକୋଟି ଟଙ୍କାର ବାଲି ଚୋରିକରି ଆସୁଥିଲେ। ତେବେ ବହୁ ବିଳମ୍ବରେ ପ୍ରଶାସନର ଜ୍ଞାନ ଉଦୟ ହୋଇଥିଲା। ପୁନଦାଳ ଅଞ୍ଚଳରେ ଦୁଇଟି ଓ ଡୁମଗଣ୍ଡିରା ଅଂଚଳରେ ଗୋଟିଏ ବାଲି ଖାଦାନ ଅକ୍ସନ କରାଯାଇ ପାଖାପାଖି ଦେଢ଼କୋଟି ଟଙ୍କା ରାଜସ୍ୱ ଆଦାୟ ହେବାର ବାଟ ଖୋଲିଥିଲା। ତେବେ ଏହି ସବୁ ବାଲି ଖାଦାନରେ କାଗଜପତ୍ର ନସରୁଣୁ ଏହି ସବୁ ବାଲି ଉପରେ ବାଲି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି। କିଛିଦିନ ଧରି ବାଲିମାଫିଆମାନେ ସୋନନଦୀରେ ଆତଙ୍କ ଚଲାଇ ବାଲି ଲୁଟ କରୁଥିବାର ଦେଖାଯାଇଛି । ଟ୍ରାକ୍ଟର ପିଛା ୫୦୦ ଟଙ୍କା ସେମାନେ ନେଉଥିବା ବେଳେ ଟ୍ରାକ୍ଟର ମାଲିକ ୧୦୦୦ ଟଙ୍କା ନେଇ ବାଲି ଉଠାଇ କିଛି ସ୍ଥାନରେ ଗଛିତ କରୁଛନ୍ତି।
ଦୈନନ୍ଦିନ ଶହେ ଟ୍ରିପରୁ ଉର୍ଦ୍ଧ୍ୱ ବାଲି ଚୋରି ହେଉଥିବା ବେଳେ ଦିନକୁ ଦେଢ଼ ଲକ୍ଷ ଟଙ୍କା ରାଜସ୍ୱ ହାନି ହେଉଥିବା ଅନୁମାନ କରାଯାଉଛି । କାଂଶ ,ମଛୁଆ ,କାଠପାଳ ଅଞ୍ଚଳରେ ବାଲି ଗଛିତ କରି ସେଠାରେ ଟ୍ରକ ମାଧ୍ୟମରେ ବାହାରକୁ ଚାଲାଣ ହେଉଛି। ଯିଏ ଅଭିଯୋଗ କରୁଛି ତାଉପରେ ଠେଙ୍ଗାବାଡି ଧରି ଆକ୍ରମଣ କରିବାକୁ ଗୋଡାଉଛନ୍ତି। ପୂର୍ବରୁ ତତ୍କାଳୀନ ତହସିଲଦାର ସୁଶ୍ରୀତା ଟୁଡୁଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିଲା। ଅଭିଯୋଗ ପରେ କରଞ୍ଜିଆ ଗାଁ ପୁରୁଷ ଶୂନ୍ୟ ହୋଇହାଇଥିଲା। ପୋଲିସ ଦୃଢ଼ କାର୍ଯ୍ୟନୁଷ୍ଠାନ ନକରି ଖାଲି କେସ କରି ରହିଗଲା। ସେହିପରି ତହସିଲଦାର ଅଶେଷ କୁମାର ନାୟକ ଓ ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା ଚୋରା ଗାଡି ଜବତ କରିବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରି ଗାଡି ଛଡାଇ ନେଇଥିଲେ। ବାରମ୍ବାର ଚଢ଼ଉରେ ମଧ୍ୟ ପୋଲିସର ସହଯୋଗ କରାଯାଉନଥିବା ଅଭିଯୋଗ ଉଠିଥିଲା।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0