ଭୁୁବନେଶ୍ୱର : ଭିଡ଼ ରହୁଥିବା ରୁଟ୍ରେ ୪୦ଟି କ୍ଳୋନ୍ ଟ୍ରେନ୍ ଚଲାଇବାକୁ ଭାରତୀୟ ରେଳ ନିଷ୍ପତ୍ତି ନେଇଛି। ଚଳିତ ମାସ ୨୧ରୁ ଏହି ଟ୍ରେନ୍ଗୁଡ଼ିକର ଚଳାଚଳ ଆରମ୍ଭ ହେବ। ସେଥିପାଇଁ ବୁକିଙ୍ଗ୍ ୧୯ରୁ ଆରମ୍ଭ ହେବ। ଏହି ଟ୍ରେନ୍ଗୁଡ଼ିକରେ ଯାତ୍ରା କରିବାକୁ ହେଲେ ଆଗୁଆ ସଂରକ୍ଷିତ ଟିକଟ ନେବାକୁ ପଡ଼ିବ। ଅଗ୍ରୀମ ସଂରକ୍ଷଣ ଅବଧି ୧୦ ଦିନର ରହିବ। ସର୍ବାଧିକ କ୍ଲୋନ୍ ଟ୍ରେନ୍ ବିହାରକୁ ଯାତ୍ରା କରିବ ବୋଲି ଜଣାପଡ଼ିଛି। ବର୍ତ୍ତମାନ ଚାଲୁଥିବା କୋଭିଡ୍-୧୯ ସ୍ବତନ୍ତ୍ର ଟ୍ରେନ୍ ଓ ଶ୍ରମିକ ସ୍ପେସିଆଲ୍ ଟ୍ରେନ୍ ଠାରୁ ଏହା ସମ୍ପୂର୍ଣ୍ଣ ଅଲଗା ରହିବ। ରେଳବାଇ ଯେଉଁ ୪୦ଟି କ୍ଲୋନ୍ ଟ୍ରେନ୍ ଚଲାଇବ ସେଥି ମଧ୍ୟରୁ ୩୮ଟି ଟ୍ରେନ୍ରେ ହମ୍ସଫର ଟ୍ରେନ୍ର କୋଚ୍ ରହିବ। ଏହି ଟ୍ରେନ୍ଗୁଡ଼ିକର ଟିକଟ ଦାମ୍ ହମ୍ସଫର ଟ୍ରେନ୍ର ଟିକଟ ଦାମ୍ ଭଳି ରହିବ। ନୂଆଦିଲ୍ଲୀ ଓ ଲକ୍ଷ୍ନୌ ମଧ୍ୟରେ ଚାଲିବାକୁ ଥିବା ଟ୍ରେନ୍ରେ ଜନଶତାବ୍ଦୀ କୋଚ୍ ବ୍ୟହବାର କରାଯିବ ଓ ତାହାର ଟିକଟ ଦାମ୍ ଜନଶତାବ୍ଦୀ ଟିକଟ ଭଳି ରହିଛି।
ୱେଟିଂ ଲିଷ୍ଟ୍ରେ ଥିବା ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ଲାଗି କ୍ଲୋନ୍ ଟ୍ରେନ୍ର ବ୍ୟବସ୍ଥା କରାଯାଇଛି। ଯାତ୍ରୀମାନେ ଯେଉଁ ଟ୍ରେନ୍ ପାଇଁ ଟିକଟ କାଟିଥିବେ ଏବଂ ଯଦି ଟିକଟ କନଫର୍ମ ହୋଇନଥିବ ତେବେ ସେଭଳି ଯାତ୍ରୀଙ୍କ ପାଇଁ ସମାନ ନମ୍ବର ଥିବା ଆଉ ଏକ ଟ୍ରେନ୍ ସେହି ରୁଟ୍ରେ ଚାଲିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦ଟି ଓ ପରବର୍ତୀ ସମୟରେ ଆଉ ୨୦ଟି କ୍ଲୋନ୍ ଟ୍ରେନ୍ ଚଲାଇବାକୁ ରେଳବାଇ ଯୋଜନା ରଖିଛି। ଏହି ଟ୍ରେନ୍ରେ କେବଳ ଟିକଟ ସଂରକ୍ଷଣ କରିଥିବା ଯାତ୍ରୀ ଯାତ୍ରା କରିବେ।
ଏହାର ରହଣୀ ସ୍ଥଳ ମଧ୍ୟ ସୀମିତ ରହିବ। ଯେଉଁ ସବୁ ରୁଟ୍ରେ ୱେଟିଂ ଲିଷ୍ଟ୍ ଯାତ୍ରୀଙ୍କ ସଂଖ୍ୟା ଅଧିକ ରହୁଛି ସେହି ସବୁ ରୁଟ୍ରେ କ୍ଲୋନ୍ ଟ୍ରେନ୍ ଚାଲିବ। କ୍ଲୋନ୍ ଟ୍ରେନ୍ ଚଲାଇବା ଲାଗି ଦଶନ୍ଧୀ ପୂର୍ବରୁ ଯୋଜନା ହୋଇଥିଲା କିନ୍ତୁ କେବେବି ଚାଲିପାରିନଥିଲା। ସେହି ଯୋଜନାର ପୁନର୍ବିଚାର କରିବାକୁ କରୋନା ମହାମାରୀ ରେଳବାଇକୁ ବାଧ୍ୟ କରିଛି। ମୂଳ ଟ୍ରେନ୍ର ଚାର୍ଟ ପ୍ରସ୍ତୁତ ହୋଇଯିବା ପରେ ୱେଟିଂ ଲିଷ୍ଟ୍ରେ ଥିବା ଯାତ୍ରୀମାନଙ୍କୁ କ୍ଲୋନ୍ ଟ୍ରେନ୍ରେ ସେମାନଙ୍କ ସିଟ୍ କେଉଁଠି ରହିବ ତାହା ଜଣାଇ ଦିଆଯିବ।



Visitors Today : 3
Total Visitors : 130548
Total Views : 9892100
Visitors Online Now : 0