ରାଜ୍ୟରେ କଡାକଡି ହେବ କୋଭିଡ ନିୟମ । ବିଶେଷ କରି ଟ୍ୱିନ ସିଟିରେ କୋଭିଡ ନିୟମକୁ କଡାକଡି ପାଳନ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ରାଜ୍ୟର କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିଥିଲା । ଭୁବନେଶ୍ୱର-କଟକ କମିଶନରେଟ ଅଞ୍ଚଳରେ କୋଭିଡ ନିୟମ ପାଳନ କରିବାକୁ ପୋଲିସ ମହାନିର୍ଦ୍ଦେଶକ ପ୍ରତ୍ୟକ୍ଷ ଦୃଷ୍ଟି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ଜନିତ ଆର୍ଥିକ ମାନ୍ଦାବସ୍ଥାରୁ ଗ୍ରାମାଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଅର୍ଥନୈତିକ କାର୍ୟ୍ୟକ୍ରମକୁ ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ଜରିଆରେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି କୋଭିଡ ପରିଚାଳନା ବିଷୟରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏମଜିଏନଆରଇଜିଏସ ସମେତ ଅନ୍ୟ ଜିବିକା କାର୍ୟ୍ୟକ୍ରମ ଜରିଆରେ ଯେପରି ଗାଁ ଲୋକମାନେ ଅଧିକରୁ ଅଧିକ ରୋଜଗାର ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ପଡିବ । ସେହିପରି କୃଷି, ମତ୍ସଚାଷ, ଉଦ୍ୟାନ କୃଷି, ଜଙ୍ଗଲ, ମୃତ୍ତିକା ସଂରକ୍ଷଣ ପାଇଁ ସେ ଘୋଷଣା କରିଥିବା ପ୍ୟାକେଜକୁ ଠିକ ଭାବେ କାର୍ୟ୍ୟକାରୀ କରିବା ସର୍ବୋଚ୍ଚ ପ୍ରାଥମିକତା ବୋଲି କହିଛନ୍ତି ନବୀନ । ସେପଟେ ରାଜଧାନୀର ଫାଷ୍ଟ ଫୁଡ୍ ଦୋକାନରେ ସାମାଜିକ ଦୂରତା କିପରି କଡ଼ାକଡ଼ି ପାଳନ ହେବ, ଏ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ସଚେତନା ଆରମ୍ଭ କରାଯାଇଛି । ସାମାଜିକ ଦୂରତା ପାଳନ ଓ ମାସ୍କ ପିନ୍ଧିବାକୁ ସତର୍କ କରିଛି ପୋଲିସ । କିଛି ଦୋକାନୀଙ୍କ ଠାରୁ ଫାଇନ ମଧ୍ୟ ଆଦାୟ କରାଯାଇଛି । ନିୟମ ଉଲଂଘନ ହେଲେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0