ନୂଆଦିଲ୍ଲୀ: ଲାଦାଖ ସ୍ଥିତି ନେଇ ରାଜ୍ୟସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିବୃତି ଦେଇଛନ୍ତିି । ଭାରତ – ଚୀନ ସୀମା ବିବାଦ ଏଯାଏ ସମାଧାନ ହୋଇନାହିଁ । ଭାରତୀୟ ସୀମାରେଖାକୁ ଚୀନ ଏଯାବତ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । ସୀମା ଏଯାଏ ନିର୍ଦ୍ଦିଷ୍ଟ ଭାବେ ନିର୍ଦ୍ଧାରିତ ହୋଇନଥିବା ଚୀନ କହୁଛି । ଲାଦାଖରେ ଚୀନ ଭାରତର ୩୮,୦୦୦ କିମି କବ୍ଜା କରି ରଖିଛି । ୯୦,୦୦୦ ବର୍ଗ କିମି ତା’ର ନିଜର ବୋଲି ଚୀନ କହିଆସୁଛି । ଏଲଏସିରେ ଶାନ୍ତି ଓ ସ୍ଥିରତା ପାଇଁ ଉଭୟ ଦେଶ ଚୁକ୍ତି କରିଛନ୍ତି । କିନ୍ତୁ ଏଲଏସିରେ ଅସ୍ଥିରତା ଦ୍ୱିପାକ୍ଷିକ ସମ୍ପର୍କ ଉପରେ କୁପ୍ରଭାବ ପକାଇପାରେ ବୋଲି ରାଜନାଥ କହିଛନ୍ତି । ଏପ୍ରିଲ ମାସଠାରୁ ସୀମାରେ ଚୀନ ସେନା ଓ ଅସ୍ତ୍ରଶସ୍ତ୍ର ବଢ଼ାଇ ଚାଲିଛି । ଏଲଏସିରେ ଅସ୍ଥିରତା ସୃଷ୍ଟି ପାଇଁ ଚୀନ ପକ୍ଷରୁ ବାରମ୍ବାର ଚେଷ୍ଟା କରାଯାଇଛି । ଭାରତୀୟ ସେନାର ସମୟୋଚିତ ପଦକ୍ଷେପ ଯୋଗୁଁ ଚୀନକୁ ଜବାବ ଦିଆଯାଇଛି । ଜୁନ୍ ୧୫ରେ ଚୀନକୁ ଆମ ସେନା ଉଚିତ ଜବାବ ଦେଇଛନ୍ତି । ଏଲଏସିରେ ଅସ୍ଥିରତାକୁ ଆମେ କୌଣସି ପ୍ରକାର ବରଦାସ୍ତ କରିବୁନି । ଚୀନର କଥା ଓ କାମରେ ଯଥେଷ୍ଟ ଫରକ ରହୁଛି ବୋଲି ରାଜନାଥ କହିଛନ୍ତି । ଅସ୍ଥିରତା ସୃଷ୍ଟି ପାଇଁ ସବୁବେଳେ ଚୀନ ଭାରତକୁ ଉସୁକାଇ ଆସୁଛି । ଚୀନର ବଦମାସି ପାଇଁ ଏଲଏସିରେ ଅନେକ ଥର ମୁହାଁମୁହିଁ ସ୍ଥିତି ହୋଇଛି । ଦେଶକୁ ସୁରକ୍ଷା ଦେବାକୁ ଆମେ ମଧ୍ୟ ସୀମାରେ ଅଧିକ ସେନା ମୁତୟନ କରିଛୁ । ସେନାର ଗମନାଗମନ ସୁବିଧା ପାଇଁ ଆମେ ଉତ୍ତମ ରାସ୍ତାଘାଟ କରୁଛୁ । ଦେଶ ପାଇଁ ଯେତେ ବଡ଼ ଓ କଡ଼ା ପଦକ୍ଷେପ ନେବାକୁ ଆମେ ପଛେଇବୁନି । ଦେଶର ଅଖଣ୍ଡତା ରକ୍ଷା କରିବାକୁ ଆମେ ସମ୍ପୂର୍ଣ୍ଣ ପ୍ରତିଜ୍ଞାବଦ୍ଧ । ଆମେ ଦେଶର ମସ୍ତକ ନଇଁବାକୁ ଦେବୁନି ବୋଲି ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଉଛୁ । ଆମ ଜବାନ କିଛି ବି ପରିସ୍ଥିତିର ସାମ୍ନା କରିବାକୁ ପୁରା ପ୍ରସ୍ତୁତ ରହିଛନ୍ତି ବୋଲି ଆଜି ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0