ଭୁବନେଶ୍ୱର : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ସିନ୍ଦୁରିଆ ଗ୍ରାମ ପଞ୍ଚାୟତରେ ପାନୀୟ ଜଳ ପ୍ରକଳ୍ପରେ ହୋଇଥିବା ଅନିୟମିତତାର ତଦନ୍ତ କରି ୪ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପଞ୍ଚାୟତିରାଜ ବିଭାଗକୁ ନିର୍ଦେଶ ଦେଇଛନ୍ତି ଲୋକାୟୁକ୍ତ । ସୂଚନା ଅନୁଯାୟୀ, ଗତବର୍ଷ ଅକ୍ଟୋବର ମାସରେ ରିଲୁ ବେହେରା ସିନ୍ଦୁରିଆ ପଞ୍ଚାୟରତରେ ପାନୀୟ ଜଳ ପ୍ରକଳ୍ପରେ ହୋଇଥିବା ୨ଲକ୍ଷ ଟଙ୍କାର ଅନିୟମିତତା ସଂପର୍କରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଲୋକାୟୁକ୍ତ ଗ୍ରହଣ କରିବା ସହିତ ଧର୍ମଶାଳା ବିଡିଓ ଏହାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ଲାଗି ନିର୍ଦେଶ ଦେଇଥିଲେ। ଏଥିରେ ବୋରୱେଲ ଗଭୀରତା ୬୩ ମିଟର ବଦଳରେ ୩୬ ମିଟର ରହିଥିଲା। ଜଣେ ପୂର୍ବତନ ପିଇଓ, ଜିପିଟିଏ, ନିର୍ବାହୀ ଅଧିକାରୀଙ୍କ ସହକାରୀ ଓ ସ୍ଥାନୀୟ ସରପଞ୍ଚ ସାମିଲ ରହିଥିବା ତଦନ୍ତ ରିପୋର୍ଟରେ ଦର୍ଶାଯିବା ପରେ ସେମାନଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଥିଲା। ପରେ ଯାଜପୁର ଜିଲ୍ଲାପାଳଙ୍କ ରିପୋର୍ଟ ଓ ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀଙ୍କ ମତ ଆଧାରରେ ସଂପୃକ୍ତ ୪ଜଣଙ୍କ ବିରୋଧରେ ଆସନ୍ତା ୫ମାସ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଲୋକାୟୁକ୍ତ ନିର୍ଦେଶ ଦେଇଛନ୍ତି।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0