spot_img

ଆସନ୍ତା ୨୪ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ପାଳନ ହେବ କୋଭିଡ୍ ସପ୍ତାହ

ବ୍ରହ୍ମପୁର: ଆସନ୍ତା ୨୪ ତାରିଖରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ପାଳନ ହେବ କୋଭିଡ୍ ସପ୍ତାହ। ଏହି ସପ୍ତାହ ପାଳନର ଆଭିମୁଖ୍ୟ ହେଲା କୋଭିଡ୍ ସଚେତନତା କାର୍ଯ୍ୟକୁ ବ୍ୟାପକ କରିବା ଓ ସମସ୍ତେ ଯେପରି ସତର୍କତା ଅବଲମ୍ବନ କରିବା। ଏଥିପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର୍, କାର୍ଯ୍ୟନିର୍ବାହୀ ଅଧିକାରୀ, ସମନ୍ବୀତ ଶିଶୁ ବିକାଶ ଯୋଜନା ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ, ସ୍ବାସ୍ଥ୍ୟ ଅଧିକାରୀ ମାନଙ୍କୁ ଜଣାଇଥିଲେ । ବର୍ତ୍ତମାନ ସମୟରେ ଜିଲ୍ଲାରେ କୋରୋନା ସଂକ୍ରମଣ କମି ଆସିଛି ସତ କିନ୍ତୁ ଏହା ସମ୍ପୂର୍ଣ୍ଣ ରୂପେ ଲୋପ ହୋଇନାହିଁ । ଆଗାମୀ ଅକ୍ଟୋବର ମାସ ଜିଲ୍ଲାବାସୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ।ବର୍ତ୍ତମାନ ସ୍ଥିତିରେ ଜିଲ୍ଲାବାସୀ ସମ୍ପୂର୍ଣ୍ଣ ଭୟ ମୁକ୍ତ ହୋଇ ସଚେତନତା ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଅନ୍ୟ ଜିଲ୍ଲାକୁ ଯାତାୟତ କରୁଛନ୍ତି । ବସ୍ ଅଟୋ ଗୁଡିକରେ ସଚେତନତା ନିୟମ ପାଳନ ହେଉନାହିଁ । ଯଦି ସଚେତନତା ପଦକ୍ଷେପ ଗ୍ରହଣ କରାଯାଏ ନାହିଁ ତେବେ ପୁନର୍ବାର କୋରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବ ଏବଂ ଅନେକ ଜନଜୀବନ ନଷ୍ଟ ହେବ । ଏଣୁ ଜିଲ୍ଲା ବାସୀଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡିବ । ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ପଡୋଶୀ ଜିଲ୍ଲାକୁ ଯାତାୟତ କରୁଥିବା ଯାତ୍ରୀଙ୍କ ନିମନ୍ତେ ଅନେକ ସଚେତନତା ପଦକ୍ଷେପ ଗ୍ରହଣ କରିବାକୁ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲ୍ଲାବାସୀଙ୍କୁ ସତର୍କତା ସୃଷ୍ଟି କରିବା ଦିଗରେ ପାଳନ ହେବାକୁ ଥିବା କୋଭିଡ୍ ସପ୍ତାହରେ ସମସ୍ତ ସଚେତନତା କାର୍ୟ୍ୟକୁ କଡାକଡି କରାଯିବ । ବ୍ୟକ୍ତି ଯେପରି ସଂକ୍ରମିତ ହେବେ ନାହିଁ ସେଥିପ୍ରତି ଦୃଷ୍ଟି ଦିଆଯିବ ।ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଛାଡି ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇଛି । ସଂକ୍ରମଣ ବୃଦ୍ଧି ଘଟୁଥିବା ଜିଲ୍ଲାରୁ ଆସୁଥିବା ବ୍ୟକ୍ତି ଓ ଏହି ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାତାୟତ କରୁଥିବା ବ୍ୟକ୍ତି ଉପରେ କଡା ନଜର ରହିବ । କୋଭିଡ୍ ସପ୍ତାହ ଅବସରରେ ସମସ୍ତ ପଞ୍ଚାୟତ, ବ୍ଲକ୍,ବିଜ୍ଞାପିତ ଅଞ୍ଚଳ ଓ ସହରାଞ୍ଚଳରେ ସଚେତନତା କାର୍ୟ୍ୟକ୍ରମକୁ ବ୍ୟାପକ କରାଯିବ । ସମସ୍ତ ଜନ ପ୍ରତିନିଧିଙ୍କୁ ଅନ୍ତର୍ଭୁକ୍ତ କରି ସମସ୍ତ ଗ୍ରାମାଞ୍ଚଳରେ କୋଭିଡ୍ ମନିଟର୍ ସହ ବିଡିଓ ଓ ସମସ୍ତ କୋଭିଡ୍ ସଖୀଙ୍କୁ ସମନ୍ବୀତ ଶିଶୁ ବିକାଶ ଯୋଜନା ଅଧିକାରୀ ଜରିଆରେ ସପ୍ତାହ ବ୍ୟାପୀ କାର୍ୟ୍ୟକ୍ରମ ସମ୍ପର୍କରେ ଅବଗତ କରାଇବେ । ପୂର୍ବପରି ସ୍ବାସ୍ଥ୍ୟ ଅଧିକାରୀ, ସ୍ବୟଂ ସହାୟିକା ଗୋଷ୍ଠୀ, ଆଶାକର୍ମୀ ଟିମ୍ ଦ୍ବାରା ଘରକୁ ଘର ବୁଲି ସ୍କ୍ରିନିଂ କରିବେ । ସମସ୍ତଙ୍କ ଲକ୍ଷଣ ଓ ଅକ୍ସିଜେନ୍ ସ୍ତର ପରୀକ୍ଷା କରାଯିବ ସପ୍ତାହର ଗୋଟିଏ ଦିନ ପ୍ଲା କାର୍ଡ ଧରି ସାମାଜିକ ଦୂରତ୍ବ ବଜାୟ ରକ୍ଷାକରି, ମାସ୍କ ପରିଧାନ ପୂର୍ବକ ମାସ୍କ ରାଲି ଅନୁଷ୍ଠିତ ହେବ । କୋଭିଡ୍ ବିଷୟ ବସ୍ତୁକୁ ଆଧାର କରି କୋଭିଡ୍ ର ସ୍ଲୋଗାନ୍, ବକ୍ତୃତା, ଚିତ୍ରାଙ୍କନ, କବିତା ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହେବ । ବ୍ଲକ୍ ସ୍ତରରେ ଏବଂ ଜିଲ୍ଲା ସ୍ତରରେ ଆସନ୍ତା ମାସ ୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଗାନ୍ଧୀ ଜୟନ୍ତୀରେ ବିଜୟ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ।ସପ୍ତାହ ବ୍ୟାପୀ ସମସ୍ତ ଅଞ୍ଚଳରେ କୋଭିଡ୍ ସଚେତନତା ରଥ ପରିଭ୍ରମଣ କରି ସଚେତନତା ବାର୍ତ୍ତା ପ୍ରଚାର ଓ ପ୍ରସାର କରିବ । ସପ୍ତାହ ବ୍ୟାପୀ ସମସ୍ତ ଦୋକାନ ଗୁଡିକରେ ୫ ସୂତ୍ରୀ ପାଳନ କରାଯାଉଛି ନା ନାହିଁ ତାହା କଡାକଡି କରାଯିବ । ଜିଲ୍ଲାର ସମସ୍ତ ଜନ ସାଧାରଣ ଯେପରି ମାସ୍କ ବିନା ବାହାରକୁ ଯିବେ ନାହିଁ ସେଥିପ୍ରତି ଦୃଷ୍ଟି ଦିଆଯିବ । କାର୍ୟ୍ୟାଳୟ ଗୁଡିକରେ କୋଭିଡ୍ ସଂକ୍ରମଣ ଦିଗରେ କିଭଳି ପଦକ୍ଷେପ ନିଆଯାଇଛି ତାହା ତଦାରଖ କରାଯିବ ଏବଂ ସଚେତନତା ଦିଗରେ ଉତ୍ତମ କାର୍ୟ୍ୟ କରିଥିବା କାର୍ୟ୍ୟାଳୟ ଗୁଡିକରେ ଷ୍ଟିକର ଲଗାଯାଇ ଉତ୍ସାହିତ କରାଯିବ ।ପଞ୍ଚସୂତ୍ରୀ ପାଳନ, ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତ୍ବ ଦିଗରେ ସଚେତନତା ମୂଳକ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଜନ ସାଧାରଣ ଓ ଛାତ୍ରଛାତ୍ରୀଗଣ ସେମାନଙ୍କର ନିଜସ୍ବ କବିତା, ବକ୍ତୃତା, ପ୍ରବନ୍ଧ ରଚନା ଗୁଡିକ ଅନ୍ ଲାଇନ୍ ମାଧ୍ୟମରେ ୱାଟସ୍ ଆପ୍ ରେ ପ୍ରେରଣ କରିପାରିବେ । ଚୂଡାନ୍ତ କାର୍ୟ୍ୟକ୍ରମ ପରବର୍ତ୍ତୀ ପର୍ୟ୍ୟାୟରେ ଜଣାଇଦିଆଯିବ ବୋଲି ଜିଲ୍ଲାପାଳ ଅବଗତ କରାଇଛନ୍ତି । ତହସିଲଦାରଗଣ ସଚେତନତା ଓ ଚଢାଉକାର୍ୟ୍ୟକୁ ବ୍ୟାପକ କରନ୍ତୁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular