spot_img

ବନ୍ଦ ହେବନି ଠାକୁରାଣୀ ଖଣିରୁ ଉତ୍ତୋଳନ, ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

କେନ୍ଦୁଝର : ଶାରଦା ମାଇନସ୍ ମାଲିକାନାରେ ଥିବା ଠାକୁରାଣୀ ଲୁହାପଥର ଖଣିରୁ ଖଣିଜ ଉତ୍ତୋଳନ ବନ୍ଦ ହେବନାହିଁ। ପୂର୍ବପରି ଏହି ଉତ୍ତୋଳନ କାର୍ଯ୍ୟ ଚାଲୁ ରହିବ। ଏନେଇ ଦିଲ୍ଲୀ ହାଇକୋର୍ଟ ସ୍ପଷ୍ଟ କରି ନିର୍ଦେଶ ଦେଇଛନ୍ତି। କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ଆସିଥିବା ନିର୍ଦେଶନାମା ପରିପ୍ରେକ୍ଷୀରେ ଦିଲ୍ଲୀ ହାଇକୋର୍ଟ ରହିତାଦେଶ ଜାରି ଉତ୍ତୋଳନ ଜାରି ରଖିବାକୁ କହିଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୧ତାରିଖକୁ ଧାର୍ଯ୍ୟ କରାଯାଇଛି। ତେବେ ସେପର୍ଯ୍ୟନ୍ତ କୌଣସି ମତେ ଉତ୍ତୋଳନକୁ ବନ୍ଦ କରାଯାଇ ପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳରେ ରହିଛି ଠାକୁରାଣୀ ଲୁହାପଥର ଖଣି। ଏହି ଲୁହାପଥର ଖଣିର ଲିଜଧାରୀ ହେଉଛନ୍ତି ସାରଦା ମାଇନସ ପ୍ରାଇଭେଟ ଲିମିଟେଡ୍। ଦୀର୍ଘବର୍ଷ ଧରି ଠାକୁରାଣୀ ଲୁହାପଥର ଖଣି ବନ୍ଦ ରହିବା ପରେ ଗତ ଜାନୁଆରି ମାସରେ ସୁପ୍ରିମକୋର୍ଟ ଏହି ଖଣି ଚାଲୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରିବେଶ ପ୍ରଦୂଷଣ ପାଇଁ ରାଜ୍ୟ ସରକାରଙ୍କୁ ୯୩୩ କୋଟି ଟଙ୍କା କ୍ଷତିପୂରଣ ଦେବା ସହିତ ସବୁ ନିୟମକାନୁନ ମାନି ଖଣି ଖନନ କରିବାକୁ ଏକ ଅଣ୍ଡରଟେକିଂ ଦେବାକୁ ନିର୍ଦ୍ଦେଶ ରହିଥିଲା। ପରବର୍ତ୍ତୀ ସମୟରେ ଶାରଦା ମାଇନସ୍ କ୍ଷତିପୂରଣ ଦାଖଲ କରି ଖଣିଖନନ କାର୍ଯ୍ୟ ଜାରି ରଖିଥିଲା। ଜାନୁଆରି ମାସରେ ଅନୁମତି ପାଇବା ପରେ ଖଣି ଖନନ ବିରୋଧରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଏକାଧିକ ଅଭିଯୋଗ ପହଞ୍ଚିଥିଲା। ଅଭିଯୋଗଗୁଡିକ ହସ୍ତଗତ ହେବାପରେ ଖଣି ଖନନ ବେଆଇନ ବୋଲି କେନ୍ଦ୍ର ଆଇନ ମନ୍ତ୍ରାଳୟ ମତ ପ୍ରକାଶ କରିଥିଲା। ଏହାପରେ ଗତ ମେ ୨୯ ତାରିଖରେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ଏକ୍ସପର୍ଟ ଆପ୍ରାଇଜାଲ କମିଟି(ଇଏସି) ବୈଠକର ନିଷ୍ପତ୍ତିକୁ ଆଧାର କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗକୁ ଏହି ଠାକୁରାଣୀ ଖଣିରୁ ଲୁହାପଥର ଖନନ ବନ୍ଦ ପାଇଁ ନିର୍ଦ୍ଦେଶ ଆସିଥିଲା। ବୈଠକରେ ଶାରଦା ମାଇନସ ଖଣି ଖନନ ବେଆଇନ ବୋଲି ମତ ପ୍ରକାଶ ପାଇଥିଲା। କୌଣସିମତେ ଆଉ ଖନନ ପାଇଁ ଅନୁମତି ଦିଆଯିବା ଉଚିତ ନୁହେଁ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ମାତ୍ର ଦିଲ୍ଲୀ ହାଇକୋର୍ଟ ଖଣି ଖନନ ବନ୍ଦ ଉପରେ ରହିତାଦେଶ ଦେବା ସହିତ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଖଣି ଖନନ ପୂର୍ବପରି ଚାଲୁ ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular