ବାଲେଶ୍ୱର: ଆଗାମୀ ତିନି ବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି ବାଲେଶ୍ୱରରୁ ବସ୍ତି ଉନ୍ନତୀକରଣ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସହରର ବିକାଶ ଠାରୁ ଆରମ୍ଭ କରି କୋଭିଡ ଲଢେଇ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବସ୍ତିର ଗରିବ ଲୋକମାନେ ଆଗରେ ରହି କାମ କରୁଛନ୍ତି। ତେଣୁ ବିକାଶ ଉପରେ ମଧ୍ୟ ସେମାନଙ୍କର ସମାନ ଅଧିକାର ରହିଛି । ଏହି ଯୋଜନାରେ ରାଜ୍ୟର ବସ୍ତିରେ ବିଜୁଳି, ଭଲ ପିଇବା ପାଣି, ରାସ୍ତା, ଗୋଷ୍ଠୀକେନ୍ଦ୍ର ଆଦି ନାଗରିକ ସୁବିଧାର ବିକାଶ କରି ବସ୍ତିର ଲୋକମାନଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣାଯିବା ସହିତ ଜୀବିକା ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରାଯିବ । ରାଜ୍ୟର ଏକ ହଜାର ବସ୍ତିରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ ବାଲେଶ୍ୱରର ୪୧ଟି ବସ୍ତିର ୨,୦୫୪ ଜଣଙ୍କୁ ଏବଂ ସାରା ରାଜ୍ୟରେ ୧,୦୫,୦୦୦ ଭୂମି ଅଧିକାର ପ୍ରମାଣପତ୍ର ଆବଣ୍ଟନର ଶୁଭାରମ୍ଭ କରିଥିଲେ । ଆଗାମୀ ୩ ମାସ ମଧ୍ୟରେ ୧ ଲକ୍ଷ ୬୫ ହଜାରରୁ ଅଧିକ ଲୋକ ଏହି ପ୍ରମାଣପତ୍ର ପାଇବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୧୬ଟି ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ‘ପରିଚୟ’ର ମଧ୍ୟ ଲୋକାର୍ପଣ କରିଥିଲେ। ୪୦୦ଟି ପରିଚୟ ବହୁମୁଖୀ ଗୋଷ୍ଠୀକେନ୍ଦ୍ର ନିର୍ମାଣାଧୀନ ଅଛି। ଏହି ଅବସରରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଓ ଦିଲ୍ଲୀସ୍ଥିତ ସେଣ୍ଟର ଅଫ ପଲିସି ରିସର୍ଚ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି ଅବସରରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା ଏବଂ ୫ ଟି ସଚିବ ଭି.କେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0