ଭୁବନେଶ୍ୱର : ବିଧାନସଭାରେ ଉଠିଲା ମାସ୍କ ଦୁର୍ନୀତି ପ୍ରସଙ୍ଗ । କରୋନା ମୁକାବିଲା ନାଁରେ ମାସ୍କ ଓ ପିପିଇ କିଟରେ ହୋଇଥିବା ଦୁର୍ନୀତିର କଥା ଉଠାଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ମହାମାରୀ ସମୟରେ କୋଟି କୋଟି ଟଙ୍କାର ସାମଗ୍ରୀ କିଣାଯାଇଥିଲା । ଆଉ ଏହି ସାମଗ୍ରୀ କିଣିବାକୁ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା । ଯେଉଁ କମିଟି କୋଭିଡ ସାମଗ୍ରୀକୁ ଯାଞ୍ଚ କରିବା ସହ କୋଟି କୋଟି ଟଙ୍କାର ସାମଗ୍ରୀ କିଣିବା ଉପରେ ମୋହର ମାରୁଥିଲେ । ତେବେ ଏହି ମାସ୍କ ଦୁର୍ନୀତିର କଥା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ମାସ୍କ ଭର୍ତ୍ତି ଏକ ଟ୍ରକ ରାଜଧାନୀରେ ପହଞ୍ଚିଥିଲେ ମଧ୍ୟ ଏହାକୁ ଗ୍ରହଣ କରିନଥିଲା ଦାୟିତ୍ୱରେ ଥିବା କମିଟି । ଆଉ ଏହାପରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଗୋଟିଏ ପରେ ଗୋଟିଏ ମାସ୍କ ଦୁର୍ନୀତିର ଖିଅ ସାମ୍ନାକୁ ଆସିଥିଲା । ଆଉ ଏହି କମିଟିର ଦାୟିତ୍ୱରେ ଥିବା ହେମନ୍ତ ଶର୍ମାଙ୍କୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ।
ସେହିଭଳି ବ୍ଲାଙ୍କ ଚେକ୍ ପ୍ରସଙ୍ଗରେ ମଧ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । କୋଭିଡ ମୁକାବିଲା ପାଇଁ ଯେଉଁ କମ୍ପାନିରୁ ସାମଗ୍ରୀ କିଣାଯାଉଥିଲା ସେମାନଙ୍କୁ କାହିଁକି ବ୍ଲାଙ୍କ ଚେକ୍ ଦିଆଯାଇଥିଲା ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରଦୀପ୍ତ । ଏହାପୂର୍ବରୁ କ୍ରୟ କମିଟିର ଦାୟିତ୍ୱରେ ଥିବା ଆଇଏଏସ ଅଫିସର ହେମନ୍ତ ଶର୍ମା ପ୍ରେସମିଟରେ ବ୍ଲାଙ୍କ ଚେକର କଥା କହିଥିଲେ । ସରକାର କରୋନା ମୁକାବିଲା ପାଇଁ ସାମଗ୍ରୀ କିଣିବା ଉପରେ କିଭଳି କ୍ରୟ କମିଟିକୁ ଫ୍ରି ହ୍ୟାଣ୍ଡ ଦେବା ସହ ବ୍ଲାଙ୍କ ଚେକ୍ ଦେଇଥିଲେ ସେନେଇ ପୂରା ଓଡ଼ିଶାବାସୀଙ୍କୁ ଜଣାଇଥିଲେ ହେମନ୍ତ । ଆଉ ହେମନ୍ତଙ୍କ ଏହି ବୟାନ ପରେ ବିରୋଧୀ କୋଭିଡ ମୁକାବିଲାରେ ବାରିଥିଲେ ଦୁର୍ନିତିର ଗନ୍ଧ । ପରବର୍ତ୍ତୀ ସମୟରେ ଏହି କମିଟିକୁ ଭାଙ୍ଗି ଦେଇଥିଲେ ସରକାର । ତେବେ ଏହାପରେ ମଧ୍ୟ ଆଜି ବିଧାନସଭାରେ ମାସ୍କ ଦୁର୍ନୀତିର କଥା ଉଠାଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0