ଭୁବନେଶ୍ୱର : କୋଭିଡ୍ କେଳେଙ୍କାରୀକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ଦଳର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ, ରାଜ୍ୟସ୍ତରୀୟ ସମସ୍ତ କର୍ମକର୍ତ୍ତା, ସମସ୍ତ ସଂଗଠନ ମୁଖ୍ୟ, ନଗର ଏବଂ ବ୍ଲକ ସଭାପତି, ଜିଲ୍ଲା ପରିଷଦର ସଭାପତି ଓ ଉପ ସଭାପତିଙ୍କୁ ଏକ ପତ୍ର ଲେଖିଛନ୍ତି। ଏଥିରେ ଲେଖିଛନ୍ତି , ବିଜୁ ଜନତା ଦଳ ଗତ ୨୦ବର୍ଷ ଧରି ରାଜ୍ୟବାସୀଙ୍କ ସହିତ ରହିଛି। ଆଜିର କରୋନା ମହାମାରୀ ରାଜ୍ୟକୁ ଏକ ଅଭାବନୀୟ ସ୍ଥିତିରେ ପହଞ୍ଚାଇଛି। ପ୍ରତ୍ୟେକ ଜୀବନ ଏବେ ମୂଲ୍ୟବାନ। ଏଣୁ ବିଜେଡି ଏବର୍ଷ କୋଭିଡ୍ ମହାମାରୀ ପରିପ୍ରେକ୍ଷୀରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ ଆୟୋଜନ କରିବ। ଟିକା ଆମ ନିକଟରେ ପହଞ୍ଚିବା ପର୍ଯ୍ୟନ୍ତ ମାସ୍କ ହେଉଛି ସୁରକ୍ଷା କବଚ। ଏଣୁ ଦଳର ପ୍ରତି ବିଧାୟକ ପଞ୍ଚାୟତସ୍ତରରେ ଗ୍ରାମବାସୀଙ୍କୁ ମାସ୍କ ବଣ୍ଟନ କରି ଏହାର ଉପଯୁକ୍ତ ବ୍ୟବହାର ସଂପର୍କରେ ସଚେତନ କରିବେ। କରୋନା ମହାମାରୀକୁ ରୋକିବା ସହିତ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମସ୍ତେ ସତର୍କ ରହିବା ଜରୁରୀ। କୋଭିଡ୍ ନିୟମ ପାଳନ କରିବା, ଟେଷ୍ଟିଂରେ ସହଯୋଗ କରି ଉପଯୁକ୍ତ ସମୟରେ ନିଜର ଚିକିତ୍ସା କରାଇନେବା, ଆଗଧାଡିର କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ସହିତ ସମ୍ମାନ ପ୍ରଦର୍ଶନ କରିବା ଏବଂ ପ୍ଲାଜମା ଦାନ କରିବା ଲାଗି ସମସ୍ତ ଆଗେଇ ଆସିବା ଦରକାର ବୋଲି ଲୋକଙ୍କୁ ବୁଝାଇବେ। କେବଳ ସେତିକି ନୁହେଁ, ଗୁରୁତର କୋଭିଡ୍ ରୋଗୀଙ୍କ ପାଇଁ ପ୍ଲାଜ୍ମା, ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମରେ ରକ୍ତଦାନ ଏବଂ ମୃତକଙ୍କ ଶବ ସତ୍କାର ପାଇଁ ‘ଓଡ଼ିଶା ମୋ ପରିବାର’ ନିଷ୍ଠାପର ଉଦ୍ୟମ କରୁଛି। ନିଜ ନିର୍ବାଚନମଣ୍ଡଳୀରେ ‘ଓଡ଼ିଶା ମୋ ପରିବାର’ ସହିତ ସାମିଲ ହୋଇ ଏସବୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଆଗେଇ ନେବା ଦରକାର ବୋଲି ନବୀନ ପରାମର୍ଶ ଦେଇଛନ୍ତି।



Visitors Today : 2
Total Visitors : 130224
Total Views : 9891698
Visitors Online Now : 0