spot_img

ଲୁହାପଥର ଖଣିରେ ବେଆଇନ କାରବାର

କେନ୍ଦୁଝର: ଚଢ଼ା ମୂଲ୍ୟରେ ବିଭିନ୍ନ ଲୁହାପଥର ଖଣି ଲିଜ୍ ନେଇଥିବା ଏକାଧିକ କମ୍ପାନି ଏବେ ଖଣି ନିୟମକୁ ବେଖାତିର କରି ଲୁହାପଥର ଷ୍ଟକ୍ ଠାରୁ ଆରମ୍ଭ କରି ଗ୍ରେଡେସନ୍ ପର୍ୟ୍ୟନ୍ତ ସବୁଥିରେ ଠକିବା ଆରମ୍ଭ କରିଛନ୍ତି। ଖଣି ନିର୍ଦ୍ଦେଶାଳୟର ଏକ ଟିମ୍ ନାରାୟଣପୋଷି, ନୂଆଗାଁ, ଜଜାଙ୍ଗ, ଗଣୁଆ ଓ ଠାକୁରାଣୀ ଲୁହାପଥର ଖଣି ପରିଦର୍ଶନ ବେଳେ ଲୁହାପଥର ଷ୍ଟକ୍‌ ଠାରୁ ଆରମ୍ଭ କରି ଲୁହାପଥର ଗ୍ରେଡ୍ ଚିହ୍ନଟ ଏବଂ ୱେବ୍ରିଜ୍ କାରବାରରେ ଏମ୍ଏମ୍ଆର୍-୧୯୬୧ ଏବଂ ଓଡ଼ିଶା ମିନେରାଲ ରୁଲସ୍-୨୦୦୭ର ରୁଲ୍-୧୦କୁ ଅନୁସରଣ କରାଯାଉନଥିବା ପ୍ରମାଣ ପାଇଛନ୍ତି। ଗତ ୨୩ ତାରିଖରେ ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ଯୋଡ଼ାସ୍ଥିତ ଯୁଗ୍ମ ଖଣି ନିର୍ଦ୍ଦେଶକ ଏବଂ କୋଇଡ଼ାସ୍ଥିତ ଡେପୁଟି ଖଣି ନିର୍ଦ୍ଦେଶକଙ୍କୁ ଚିଠି ଲେଖି ତୁରନ୍ତ ଏହି ଖଣି ଗୁଡ଼ିକ ବିରୋଧରେ ଅଧିକ ରୟାଲଟି ପାଇଁ ଡିମାଣ୍ଡ ନୋଟିସ କରିବା ସହ ଓଡ଼ିଶା ମିନେରାଲ ରୁଲ୍ସ-୨୦୦୭କୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଖଣି ନିର୍ଦ୍ଦେଶକ ଦେବୀଦତ୍ତ ବିଶ୍ବାଳଙ୍କ ଚିଠି ଅନୁସାରେ, ଗତ ସେପ୍ଟମ୍ବର ୭ ଓ ୮ ତାରିଖରେ ଭୁବନେଶ୍ୱରସ୍ଥିତ ଖଣି ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଯୋଡ଼ା ଏବଂ କୋଇଡ଼ାର ଏକାଧିକ ଲୁହାପଥର ଖଣି ପରିଦର୍ଶନ କରିଥିଲେ। ଏଥିମଧ୍ୟରେ ଜେଏସ୍ଡବ୍ଲ୍ୟୁ ମାଲିକାନାରେ ଥିବା ନାରାୟଣପୋଷି ଲୁହାପଥର ଖଣି, ନୂଆଗାଁ ଲୁହାପଥର ଖଣି, ଜଜାଙ୍ଗ ଲୁହାପଥର ଖଣି, ଗଣୁଆ ଲୁହାପଥର ଖଣି ସହ ଆର୍ସେଲର ମିତ୍ତଲ ମାଲିକାନାରେ ଥିବା ଠାକୁରାଣୀ ଲୁହାପଥର ଖଣି ଥିଲା। ପରିଦର୍ଶନ ବେଳେ ଏସବୁ ଖଣିରେ ନିର୍ଦ୍ଧାରିତ ନିୟମ ତଥା ଜିଓମେଟ୍ରିକାଲ ସେପ୍ ବା ଜ୍ୟାମିତିକ ଆକାରରେ ଷ୍ଟକ୍ ରହୁନାହିଁ। ସେହିପରି ମାଇନିଂ ପ୍ଲାନଠାରେ ଯେଉଁଠି ଲୁହାପଥର ଷ୍ଟକ୍ କରିବା କଥା ସେଠାରେ ଲୁହାପଥର ଷ୍ଟକ୍ ହେଉନାହିଁ। ସବୁଠୁ ବଡ଼ ବେଆଇନ କାରବାର ହେଉଛି ଲୁହାପଥର ଗ୍ରେଡେସେନ୍ରେ। ଖଣି ପରିଦର୍ଶନ କରିଥିବା ଟିମ୍ ୩୩ଟି ଲୁହାପଥର ଷ୍ଟକ୍ୟାର୍ଡରୁ ୧୫ଟିର ନମୁନା ସଂଗ୍ରହ କରି ପରୀକ୍ଷା କରିଥିଲେ। ସବୁଥିରେ ଷ୍ଟକ୍ ଥିବା ଲୁହାପଥର ଗ୍ରେଡ୍ ଉଚ୍ଚମାନର ଥିବାବେଳେ କାଗଜକଲମରେ କିନ୍ତୁ ନିମ୍ନମାନର ଦର୍ଶାଯାଇଥିଲା। ଏହାଦ୍ବାରା ସରକାରଙ୍କ ବ୍ୟାପକ ରାଜସ୍ୱହାନି ହେଉଥିବା ଚିଠିରେ ଦର୍ଶାଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular