କେନ୍ଦୁଝର : ଚଢ଼ା ଦରରେ ଲୁହାପଥର ଖଣି ଲିଜ୍ ନେବା ପରେ ମଡେଲ ମାଇନ୍ ଡେଭଲପମେଣ୍ଟ ଆଣ୍ଡ ପ୍ରଡକ୍ସନ ଏଗ୍ରିମେଣ୍ଟ (ଏମଡିପିଏ) ଚୁକ୍ତିନାମା ଅନୁସାରେ କାର୍ଯ୍ୟ କରୁନାହାନ୍ତି ଖଣି କମ୍ପାନି। କିଛିଦିନ ତଳେ ଲୁହାପଥର ଷ୍ଟକ୍ କରିବା ଏବଂ ଏହାର ଗ୍ରେଡେସନ୍ ଏପଟ ସେପଟ କରିବା କାରଣରୁ ଜେଏସଡବ୍ଲ୍ୟୁ ଓ ଆର୍ସେଲର ମିତ୍ତଲକୁ ଖଣି ନିର୍ଦ୍ଦେଶାଳୟ ରୟାଲଟି ସଂଗ୍ରହ କରିବା ପାଇଁ ଡିମାଣ୍ଡ ନୋଟିସ କରିଥିବାବେଳେ ଏବେ ଚୁକ୍ତିନାମା ଅନୁସାରେ ଆର୍ସେଲର ମିତ୍ତଲ ଠାକୁରାଣୀ ଲୁହାପଥର ଖଣିରୁ ଲୁହାପଥର ଉତ୍ତୋଳନ କରୁନଥିବା ଅଭିଯୋଗ ଆସିଛି। ଫଳରେ ରାଜ୍ୟ ରାଜକୋଷ ପ୍ରାୟ ୩୩୭ କୋଟି ଟଙ୍କା କ୍ଷତି ସହିଥିବା ଜଣାଯାଇଛି। ଏଥିପାଇଁ ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ଆର୍ସେଲର ମିତ୍ତଲକୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ଖଣି ନିଲାମ ବେଳେ ଠାକୁରାଣୀ ଲୁହାପଥର ଖଣିକୁ ଆର୍ସେଲର ମିତ୍ତଲ ୧୦୭.୫୫ ପ୍ରତିଶତ ପ୍ରିମିୟମ ଦେଇ ନେଇଥିଲା। ଠାକୁରାଣୀ ଲୁହାପଥର ଖଣି ପାଇବା ପରେ ମଡେଲ ମାଇନ୍ ଡେଭଲପମେଣ୍ଟ ଆଣ୍ଡ ପ୍ରଡକ୍ସନ ଏଗ୍ରିମେଣ୍ଟ (ଏମଡିପିଏ)ରେ ମିତ୍ତଲ କମ୍ପାନି କର୍ତ୍ତୃପକ୍ଷ ସ୍ୱାକ୍ଷର କରି ଖଣିଜ ଉତ୍ତୋଳନ ଆରମ୍ଭ କରିଥିଲେ। ଏମଡିପିଏ ଅନୁସାରେ ବର୍ତ୍ତମାନ ଖଣିଜ ଉତ୍ତୋଳନ ହେଉନଥିବାରୁ ରାଜ୍ୟ ରାଜକୋଷକୁ ପ୍ରାୟ ୩୩୭ କୋଟି ଟଙ୍କା କ୍ଷତି ପହଞ୍ଚିଛି। ଏମଡିପିଏ ଏବଂ ଏମସି ରୁଲ୍ ୧୨(ଏ) ଉଲ୍ଲଂଘନ କରିଥିବା ନେଇ କମ୍ପାନିକୁ କାରଣଦର୍ଶାଅ ନୋଟିସ ଜାରି କରିଛି ଖଣି ନିର୍ଦ୍ଦେଶାଳୟ। ମିତ୍ତଲକୁ ହୋଇଥିବା କାରଣଦର୍ଶାଅ ନୋଟିସରେ ଦର୍ଶାଯାଇଛି ଯେ, କମ୍ପାନି ଖୋଲାଖୋଲି ଭାବେ ଏମଡିପିଏ ଏବଂ ଏମସି ରୁଲ୍ ୧୨(ଏ) ଉଲ୍ଲଂଘନ କରିଛି। ପ୍ରଥମ ଦୁଇବର୍ଷ ପର୍ଯ୍ୟନ୍ତ ଅତି କମ୍ରେ ୮୦ ପ୍ରତିଶତ ଲୁହାପଥର ଉତ୍ତୋଳନ ହୋଇ ଡେସପ୍ୟାଚ୍ କରାଯିବାକୁ ଚୁକ୍ତିନାମାରେ ଉଲ୍ଲେଖ ଥିଲେ ବି ତାହା ହେଉନାହିଁ। ଏନେଇ ପୂର୍ବରୁ ବାରମ୍ବାର ମିତ୍ତଲକୁ ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି ଲେଖି ଅବଗତ କରାଯିବା ସହ ଏଥିରେ ସୁଧାର ଆଣିବାକୁ କୁହାଯାଇଥିଲା। ମାତ୍ର ଏଥିରେ କୌଣସି ସୁଫଳ ମିଳିନଥିଲା। ସେପ୍ଟେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଠାକୁରାଣୀ ଖଣିରୁ ସମୁଦାୟ ୯୮୯,୯୦୩.୭୯ ମେଟ୍ରିକ ଟନ୍ ଲୁହାପଥର ଉତ୍ତୋଳନ ଏବଂ ଡେସପ୍ୟାଚ୍ ହେବା କଥା। ମାତ୍ର ବାରମ୍ବାର ତାଗିଦ ପରେ ୧୦୬,୮୪୫.୫୯ ମେଟ୍ରିକ ଟନ୍ ଲୁହାପଥର ଡେସ୍ପ୍ୟାଚ୍ ହୋଇଛି। ଯାହା ଧାର୍ଯ୍ୟ ଲକ୍ଷ୍ୟଠାରୁ ୮୮୩,୦୫୮.୨୦ ମେଟ୍ରିକ ଟନ୍ କମ। ଏହାଦ୍ୱାରା ଏମସିଆର୍ ରୁଲ୍-୧୨ (ଏ) ଏବଂ ଏମଡିପିଏ ଚୁକ୍ତିନାମା ଉଲ୍ଲଂଘନ ହୋଇଛି। ଏଥିପାଇଁ କମ୍ପାନି କର୍ତ୍ତୃପକ୍ଷଙ୍କୁ ଖଣି ନିର୍ଦ୍ଦେଶାଳୟ କାରଣଦର୍ଶାଅ ନୋଟିସ ଜାରି କରି ୧୫ ଦିନ ମଧ୍ୟରେ ଉତ୍ତର ରଖିବାକୁ ସମୟ ଦେଇଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0