spot_img

କରୋନା କଟକଣାରେ ରାଜ୍ୟରେ ଅକ୍ଟୋବର ୪ରେ ଖୋଲିବ ହରିଣ ପାର୍କ

ଭୁବନେଶ୍ୱର : ରାଜ୍ୟରେ ଥିବା ସମସ୍ତ ବଡ଼, ଛୋଟ ଚିଡ଼ିଆଖାନା ସମେତ ହରିଣ ପାର୍କ ଅକ୍ଟୋବର ୪ରୁ ଖୋଲିବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଏଥିସହ ପର୍ଯ୍ୟଟକ, କର୍ମଚାରୀ ଓ ଜୀବଜନ୍ତୁଙ୍କ ସୁରକ୍ଷା ଲାଗି କେଉଁ ପ୍ରକାର ସତର୍କତା ଅବଲମ୍ବନ କରାଯିବ ସେନେଇ ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କ ପକ୍ଷରୁ ଆଜି ନିର୍ଦେଶାବଳୀ ଜାରି ହୋଇଛି। ପର୍ଯ୍ୟଟକମାନେ ପ୍ରବେଶ ସମୟରେ କ’ଣ କରିବେ ଓ ନ କରିବେ ସେନେଇ ଚିଡ଼ିଆଖାନା ପ୍ରବେଶ ପଥରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିବେ। ସାମାଜିକ ଦୂରତା ରଖି ପର୍ଯ୍ୟଟକ ଯେପରି ଛିଡ଼ା ହେବେ ସେଥିପାଇଁ ଭଲ ଭାବେ ଗୋଲାକାର ବୁଲାଇବେ। ଧାଡ଼ିରେ ଦୂରତା ରକ୍ଷା କରାଯିବା ସହ ପ୍ରବେଶ ପଥ, ଶୌଚାଳୟ, ପ୍ରଦର୍ଶନୀ ସ୍ଥାନରେ ସାମାଜିକ ଦୂରତା ପାଳନ କରାଯିବ ସେନେଇ ନଜର ରଖିବେ। ଜୀବଜନ୍ତୁଙ୍କୁ ଖାଦ୍ୟ ଯୋଗାଉ ଥିବା କର୍ମଚାରୀମାନେ କୋଭିଡ୍-୧୯ ଗାଇଡ୍ଲାଇନ୍ ପାଳନ କରିବେ ଏବଂ ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ କରାଯିବ। ଚିଡ଼ିଆଖାନା କର୍ତୃପକ୍ଷ ସ୍ୱତନ୍ତ୍ର କାଉଣ୍ଟର ଖୋଲି ମାସ୍କ ବିକ୍ରି କରିପାରିବେ। ପର୍ଯ୍ୟଟକ ଯେପରି ଚିଡ଼ିଆଖାନା ଭିତରେ ବ୍ୟବହୃତ ମାସ୍କ ନ ପକାନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ଯେଉଁ ସ୍ଥାନକୁ ପର୍ଯ୍ୟଟକ ବାରମ୍ବାର ଛୁଉଁଥିବେ ତାହାକୁ ସଫା କରିବା ସହ ବିଭିନ୍ନ ସ୍ଥାନରେ ହ୍ୟାଣ୍ଡୱାସ୍ ଓ ସାନିଟାଇଜର ରଖିବାକୁ ପରାମର୍ଶ ଦିଆଯାଇଛି। ମାନୁଆଲ୍ ଟିକେଟ୍ ବୁକିଂ ବଦଳରେ ଇ-ଟିକେଟ୍ ବୁକିଂକୁ ପ୍ରାଧାନ୍ୟ ଦେବାକୁ କୁହାଯାଇଛି। ବଡ଼ ଚିଡ଼ିଆଖାନାରେ ଦିନକୁ ଅତିବେଶିରେ ୧୫୦୦, ଛୋଟ ଚିଡ଼ିଆଖାନାରେ ୭୫୦ ଓ ମିନି ଡିଅର ପାର୍କକୁ ଅତିବେଶିରେ ୩୦୦ ପର୍ଯ୍ୟଟକ ଯିବାକୁ ଅନୁମତି ମିଳିବ। ଏହଠାରୁ ଅଧିକ ପର୍ଯ୍ୟଟକ ଯେପରି ପ୍ରବେଶ ନ କରନ୍ତି ସେଥିପ୍ରତି କର୍ତୃପକ୍ଷ ଦୃଷ୍ଟି ଦେବେ। ବିନା ମାସ୍କରେ କାହାକୁ ପ୍ରବେଶ ଲାଗି ଅନୁମତି ମିଳିବ ନାହିଁ। ପ୍ରବେଶଠାରୁ ପ୍ରସ୍ଥାନ ପର୍ୟ୍ୟନ୍ତ ପର୍ଯ୍ୟଟକ ଯେପରି ମାସ୍କ ପିନ୍ଧିବେ ତାହା ଉପରେ ନଜର ରଖାଯିବ। ଥଣ୍ଡା, କାଶ ଓ ଜ୍ୱର ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ପ୍ରବେଶ ସମୟରେ ସେମାନଙ୍କ ଶରୀରର ତାପମାତ୍ର ମପାଯିବ। ବୟସ୍କ ଓ ଶିଶୁ ପ୍ରବେଶ ନ କରିବାକୁ ପରାମର୍ଶ ଦିଆଯାଇଛି। ଚିଡ଼ିଆଖାନା ପ୍ରବେଶ ପଥରେ ଶରୀର ସାନିଟାଇଜ୍ ମେସିନ୍ ଲଗାଯିବ। ଯାହାଦ୍ବାରା ପ୍ରବେଶ ସମୟରେ ପର୍ଯ୍ୟଟକଙ୍କ ଶରୀର ସମ୍ପୂର୍ଣ୍ଣ ଭାବେ ବିଶୋଧାନ ହୋଇପାରିବ। ସାମଗ୍ରୀ ନେଇ ଭିତରକୁ ଯାଇପାରିବେ ନାହିଁ। ପ୍ରବେଶ ପଥରେ ଯେପରି ଭିଡ଼ ନ ହୁଏ ସୁରକ୍ଷା କର୍ମୀମାନେ ସେଥିପ୍ରତି ଗୁରୁତ୍ବ ଦେବେ। ଚିଡ଼ିଆଖାନା ବୁଲିବା ସମୟରେ ପର୍ଯ୍ୟଟକ ବାରିକେଡ ଛୁଇଁବେ ନାହିଁ। ଛେପ ପକାଇବା, ତମାଖୁ, ସିଗାରେଟ୍ ଓ ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀ ଉପରେ କଟକଣା ଲାଗିଛି। ପ୍ରବେଶ ପଥ, ଟିକେଟ୍ କାଉଣ୍ଟର, ଶୌଚାଳୟରେ ଥିବା କର୍ମଚାରୀମାନେ ସିଲ୍ଡ ମାସ୍କ, ଗ୍ଲୋଭ ପିନ୍ଧି ପର୍ଯ୍ୟଟକଙ୍କ ସହ କଥା ହେବେ ଓ ସେବା ଯୋଗାଇବେ। ଚିଡ଼ିଆଖାନା ଗାଇଡଲାଇନରେ ମୁହଁ ଆବଦ୍ଧ ରହୁଥିବା ମାସ୍କ ସହ ହ୍ୟାଣ୍ଡଗ୍ଲୋଭ ପିନ୍ଧିବା ବାଧ୍ୟତାମୂଳକ। ପର୍ଯ୍ୟଟକମାନେ ନିଜର ପାଣି ନେବେ। ଯେତେଦୂର ସମ୍ଭବ ଖାଦ୍ୟ ସାମଗ୍ରୀ ନେବାଠାରୁ ଦୂରେଇ ରହିବେ। ଚିଡ଼ିଆଖାନା ଗାଇଡଲାଇନ ଅନୁଯାୟୀ ନନ୍ଦନକାନନରେ ଥିବା ରାଜ୍ୟ ବଟାନିକାଲ ଗାର୍ଡେନ୍ ଖୋଲିବ। ତେବେ ସେଠାରେ ପିକ୍ନିକ୍ ଲାଗି ଅନୁମତି ମିଳିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular