ଭୁବନେଶ୍ୱର : ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଦକ୍ଷିଣ ଓଡ଼ିଶା ଉପକୂଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୫ ଦିନ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ। ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ଆଶଙ୍କା ରହିଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ଆସନ୍ତା ୫ ତାରିଖ ଯାଏଁ ବର୍ଷା ଲାଗି ରହିବ। ଆଜି ଉପକୂଳ ସମେତ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, କେଉଁଝର, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର ଓ କନ୍ଧମାଳ ଆଦି ଜିଲ୍ଲାରେ କିଛି କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା ୩ ତାରିଖଠାରୁ ବର୍ଷାର ପରିମାଣ ବଢ଼ିବ। କେନ୍ଦୁଝର, ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ସୋନପୁର, ଢେଙ୍କାନାଳ ଓ କଟକରେ ପ୍ରବଳରୁ ଅତିପ୍ରବଳ ବର୍ଷିବ। ଏନେଇ ସତର୍କ ରହିବାକୁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯିବା ସହ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହ ସୋନପୁର, ସମ୍ବଲପୁର, ନୂଆପଡ଼ା, ଗଞ୍ଜାମ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏଣୁ ଏସବୁ ଅଞ୍ଚଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ୪ ତାରିଖ ଦିନ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ସୋନପୁର, ସମ୍ବଲପୁର, ନୂଆପଡ଼ା, ଗଞ୍ଜାମ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୫ ତାରିଖରୁ ୬ ତାରିଖ ପୂର୍ବାହ୍ନ ପର୍ୟ୍ୟନ୍ତ ବରଗଡ଼, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଏବଂ କୋରାପୁଟ, ରାୟଗଡ଼ା, କନ୍ଧମାଳ, ନୟାଗଡ଼, କଟକ, ଯାଜପୁର, ଭଦ୍ରକ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କ ସମୁଦ୍ର ଭିତରକୁ ଯିବାକୁ ବାରଣ କରିଛନ୍ତି ଏସ୍ଆରସି ।