ନୂଆଦିଲ୍ଲୀ: ଆସନ୍ତାକାଲି ଜିଏସ୍ଟି ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଆହୁରି ଲୋଭନୀୟ ଅଫର ଦେବେ ବୋଲି ଚର୍ଚ୍ଚା ହେଉଛି। ପ୍ରଥମ ବିକଳ୍ପରେ କ୍ଷତିପୂରଣ ରାଶି ପରିମାଣ ୯୭ ହଜାର କୋଟି ଟଙ୍କାରୁ ବଢ଼ାଇ ୧.୧୦ ଲକ୍ଷ କୋଟି ଟଙ୍କାର କରାଯିବାର ସମ୍ଭାବନା ରହିଛି। ବିଭିନ୍ନ ରାଜ୍ୟ ସହିତ ଆଲୋଚନା କରିବା ପରେ ଯେଉଁ ମତାମତ ମିଳିଥିଲା ସେହି ଆଧାରରେ ପ୍ରଥମ ବିକଳ୍ପକୁ ଅଧିକ ଲୋଭନୀୟ କରାଯାଇଛି। ସେହିପରି ୭ ପ୍ରତିଶତ ଅଭିବୃଦ୍ଧିକୁ ବିଚାରକୁ ନେଇ ରାଜ୍ୟଗୁଡ଼ିକ ପାଇଁ ଋଣ ସୀମା ବଢ଼ାଇବା ପରେ ମଧ୍ୟ ସରକାର ବିଚାର କରୁଛନ୍ତି। ଅନେକ ରାଜ୍ୟ ଦାବି କରୁଛନ୍ତି ଯେ ଆମେ ଯେଉଁ ଋଣ ନେବୁ ତାହାକୁ କେନ୍ଦ୍ର ସରକାର ପରିଶୋଧ କରନ୍ତୁ। ସେହି ଦାବିକୁ କେନ୍ଦ୍ର ମାନି ନେଇପାରେ ବୋଲି ଚର୍ଚ୍ଚା ହେଉଛି।
କରୋନା ମହାମାରୀ ପ୍ରଭାବରେ ଜିଏସ୍ଟି କ୍ଷତିପୂରଣ ରାଶି ଦେଇ ହେବ ନାହିଁ ବୋଲି କେନ୍ଦ୍ର ସରକାର କହୁଥିବା ବେଳେ ଋଣ ଜରିଆରେ ସେହି ରାଶି ରାଜ୍ୟଗୁଡ଼ିକ ପାଇଁ ଯୋଗାଡ଼ କରାଇବେ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି। ସେଥିପାଇଁ ରାଜ୍ୟଗୁଡ଼ିକୁ ଦୁଇଟି ବିକଳ୍ପ ପ୍ରଦାନ କରାଯାଇଛି। ପ୍ରଥମ ବିକଳ୍ପଟି ହେଉଛି ରାଜ୍ୟଗୁଡ଼ିକ ଯଦି ୯୭ ହଜାର କୋଟି ଟଙ୍କାର ଋଣ ନେବାକୁ ଚାହିବେ ତେବେ ତାହା ସେମାନଙ୍କ ଖାତାରେ ଋଣ ଭାବେ ପ୍ରଦର୍ଶିତ ହେବ ନାହିଁ। କେନ୍ଦ୍ର ସରକାର ସେସ୍ ରାଶି ହସ୍ତାନ୍ତର କରିବା ପରେ ସେମାନେ ସେହି ଟଙ୍କାରେ ଋଣ ଶୁଝିବେ। ଦ୍ବିତୀୟ ବିକଳ୍ପଟି ହେଉଛି ୨.୩୭ ଲକ୍ଷ କୋଟି ଟଙ୍କାର ଋଣ ରାଜ୍ୟଗୁଡ଼ିକ ନେଇପାରିବେ। କିନ୍ତୁ ତାହା ସେମାନଙ୍କ ଖାତାରେ ଋଣ ଭାବେ ପ୍ରଦର୍ଶିତ ହେବ ଏବଂ ସେମାନେ ନିଜ ହାତରୁ ମୂଳଧନ ଓ ସୁଧ ଉଭୟ ପରିଶୋଧ କରିବେ। ଏହି ଦୁଇ ବିକଳ୍ପ ମଧ୍ୟରୁ ପ୍ରଥମ ବିକଳ୍ପଟିକୁ ୨୧ଟି ରାଜ୍ୟ ଗ୍ରହଣ କରିଥିବା ବେଳେ ଦ୍ବିତୀୟ ବିକଳ୍ପକୁ ଗୋଟିଏ ରାଜ୍ୟ ଗ୍ରହଣ କରିଛି। ଅଣ-ବିଜେପି ଶାସିତ ରାଜ୍ୟ ଯଥା ପଶ୍ଚିମବଙ୍ଗ ଓ କେରଳ ଆଦି କେନ୍ଦ୍ରର ଉଭୟ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଋଣ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ସେମାନେ ରୋକଠୋକ୍ ଜଣାଇ ଦେଇଛନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0