ଭୁବନେଶ୍ୱର : ଘରେ ସଂଗରୋଧରେ ରହୁଥିବା କରୋନା ରୋଗୀମାନଙ୍କ ପାଇଁ ସରକାର ଆଣ୍ଟିଭାଇରାଲ ଔଷଧ ଫାଭିପିରାଭିର ଯୋଗାଇଦେବେ । ପ୍ରାରମ୍ଭିକ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର ଓ ପୁରୀରେ ଏହି ଔଷଧ ଯୋଗାଇଦିଆଯିବ । ଏ ସଂପର୍କରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ଔଷଧର ବ୍ୟବହାର ସମ୍ପର୍କରେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ଇଣ୍ଟରନାଲ ମେଡିସିନ ବିଭାଗ ମୁଖ୍ୟ ଡ.ଜୟନ୍ତ ପଣ୍ଡା କହିଛନ୍ତି ଯେ ଯେଉଁମାନଙ୍କ କୋଭିଡ ପଜିଟିଭ ବାହାରିଛି ଓ ସେମାନେ ଘରେ ସଂଗରୋଧରେ ଅଛନ୍ତି, ସେମାନେ ଡାକ୍ତରଙ୍କ ପରାମର୍ଶକ୍ରମେ ଏହି ଔଷଧ ଖାଇପାରିବେ । ମାତ୍ର ଯେଉଁ ରୋଗୀ ଲକ୍ଷଣଯୁକ୍ତ ହୋଇଥିବେ ଓ ତାଙ୍କର କିଡନୀ ରୋଗ, ଗାଉଟ (ଉଚ୍ଚ ୟୁରିକ ଏସିଡ), ଲିଭର ରୋଗ ଆଦି ନଥିବ, ସ୍ତ୍ରୀଲୋକ ହୋଇଥିଲେ ସେ ଗର୍ଭଧାରଣ କରିନଥିବେ, ତେବେ ତାଙ୍କୁ ଏହା ଦିଆଯାଇପାରିବ । ଆହୁରି ମଧ୍ୟ ରୋଗୀଙ୍କ ଲିଖିତ ସମ୍ମତି ପରେ ହିଁ ଏହି ଔଷଧ ଦିଆଯିବ । ସରକାର ୫ ଦିନର ଔଷଧ ପ୍ରଦାନ କରିବେ । ପ୍ରଥମ ଦିନ ୯ଟି ବଟିକା ସକାଳେ ଓ ୯ଟି ବଟିକା ସଂଧ୍ୟାବେଳେ ଖାଇବେ । ୨ୟରୁ ୫ମ ଦିନ ପର୍ଯ୍ୟନ୍ତ ୪ଟି ବଟିକା ସକାଳେ ଓ ୪ଟି ବଟିକା ସଂଧ୍ୟାବେଳେ ଖାଇବେ ।
ଫାବିପିରାବିର ଖାଇବା ବେଳେ ମଦ୍ୟପାନ କରନ୍ତୁ ନାହିଁ । ଏପରି ସତର୍କବାଣୀ ଶୁଣାଇଛନ୍ତି ଅଶ୍ୱିନୀ ହସପିଟାଲର ଡାକ୍ତର ସଂପଦ ଦାସ । ସେ କହିଛନ୍ତି ଯେ ଆଲକହଲ ସହିତ ବିଭିନ୍ନ ଔଷଧର ରାସାୟନିକ ପ୍ରତିକ୍ରିୟା ହେଉଥିବାରୁ ଏହା ଖାଇବା ନିରାପଦ ନୁହେଁ । ତେବେ ଫାଭିପିରାଭିର ଖାଇବା ବେଳେ କେଉଁ କେଉଁ ଔଷଧ ଖାଇହେବ ସେ ସମ୍ପର୍କରେ ସେ ସୂଚନା ଦେଇଛନ୍ତି । ଏହି ଔଷଧ ଖାଉଥିବା ରୋଗୀମାନେ ଅନ୍ୟାନ୍ୟ ଔଷଧ ଯଥା କରୋନା ସମୟରେ ସେବନ କରାଯାଉଥିବା ଆଣ୍ଟିବାୟୋଟିକ, ଭିଟାମିନ ଇତ୍ୟାଦି ଖାଇପାରିବେ । ସେହିପରି ଲୋକମାନେ ପୂର୍ବରୁ ନିୟମିତ ଖାଉଥବା ଔଷଧ ଯେପରିକି ଗ୍ୟାଷ୍ଟ୍ରିକ ଔଷଧ, ମଧୁମେହ, ଉଚ୍ଚରକ୍ତଚାପ, ହୃଦରୋଗ ଔଷଧ ଆଦି ଖାଇପାରିବେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0