କଟକ : ରାଜ୍ୟ ବାହାରୁ ଆସୁଥିବା ବ୍ୟାବସାୟିକ ଗାଡ଼ିଗୁଡ଼ିକ ଓଡ଼ିଶାର ପରମିଟ୍ ନେଉନାହାନ୍ତି କି ଟ୍ୟାକ୍ସ ବି ପୈଠ କରୁନାହାନ୍ତି। ଏହି ଗାଡ଼ିଗୁଡ଼ିକ ଓଡ଼ିଶା ଆସିବା ପୂର୍ବରୁ ଅନଲାଇନରେ ଅର୍ଥରାଶି ପୈଠ କରିବାକୁ ଚେତାବନୀ ଦେଇଛନ୍ତି ପରିବହନ କମିସନର। ଯେଉଁମାନେ ନିୟମ ଖିଲାପ କରି ଓଡ଼ିଶା ସୀମା ଭିତରକୁ ଗାଡ଼ି ପ୍ରବେଶ କରାଇବେ ସେମାନଙ୍କ ଗାଡ଼ି ଜବତ କରାଯିବ। କମିସନଙ୍କ କାର୍ଯ୍ୟାଳୟ ରାଜ୍ୟର ସମସ୍ତ ଆରଟିଓଙ୍କୁ ଖିଲାପ ଗାଡ଼ି ମାଲିକଙ୍କ ଗାଡ଼ି ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨ କୋଟି ୧୨ ଲକ୍ଷ ଟଙ୍କାର ଜରିମାନା ଖିଲାପି ଗାଡ଼ି ମାଲିକଙ୍କ ନିକଟରୁ ଆଦାୟ କରାଯାଇଛି। ଖୁବଶୀଘ୍ର ରାଜ୍ୟ ବାହାରର ଘରୋଇ ଗାଡ଼ିରୁ ଓଡ଼ିଶାରେ ଟ୍ୟାକ୍ସ ଆଦାୟ ପାଇଁ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ସୂଚନା ଅନୁଯାୟୀ, କରୋନା ସମୟରେ ରାଜ୍ୟ ଭିତରେ ଫସିରହିଥିବା ଶ୍ରମିକ କିମ୍ବା ସାଧାରଣ ଲୋକଙ୍କୁ ନେବାକୁ ରାଜ୍ୟ ବାହାରୁ ଟ୍ୟାକ୍ସି ଗୁଡ଼ିକ ଓଡ଼ିଶା ଭିତରକୁ ପ୍ରବେଶ ସଂଖ୍ୟା ବୃଦ୍ଧି ପାଇଛି। ସେହିପରି ମାଲବାହୀ ଗାଡ଼ି ଚଳାଚଳ ବି ବୃଦ୍ଧି ପାଉଛି। କିନ୍ତୁ ଏମାନେ ଓଡ଼ିଶା ସରକାରଙ୍କୁ ଟ୍ୟାକ୍ସ ଏବଂ ପରମିଟ୍ ଦେୟ ଦେଉନାହାନ୍ତି। ଅର୍ଥାତ୍ ବେଆଇନ ଭାବେ ଗାଡ଼ିଗୁଡ଼ିକ ଓଡ଼ିଶା ଭିତରକୁ ପ୍ରବେଶ କରୁଛନ୍ତି। ଏହି ଗାଡ଼ିଗୁଡ଼ିକ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ପରିବହନ କମିସନର ସଂଜୀବ ପଣ୍ଡା ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଓଡ଼ିଶାକୁ ଆସୁଥିବା ରାଜ୍ୟ ବାହାରର ଗାଡ଼ି ପରମିଟ୍ ଓ ଟ୍ୟାକ୍ସ ପୈଠ କରିବା ପାଇଁ ଓଡ଼ିଶା ସୀମାରେ ଥିବା ଆରଟିଓକୁ ଯିବାକୁ ପଡ଼ୁଥିଲା। ସେଠାରେ ଦେୟ ପୈଠ ସହିତ ଓଡ଼ିଶାରେ ଚଳାଚଳ ପାଇଁ ପରମିଟ୍ ଆଣିବାକୁ ପଡ଼ୁଥିଲା। ସମୟ ନଷ୍ଟ ହେଉଥିବାରୁ ଏଥିପାଇଁ ସମସ୍ୟାରେ ପଡ଼ୁଥିଲେ ଗାଡ଼ି ମାଲିକ। କିନ୍ତୁ ନିକଟରେ ଓଡ଼ିଶା ପରିବହନ ବିଭାଗ ଏହି ବ୍ୟବସ୍ଥା ଅନଲାଇନ ମାଧ୍ୟମରେ ଆରମ୍ଭ କରିଛି। ଓଡ଼ିଶାରେ ପ୍ରବେଶ ପୂର୍ବରୁ ବ୍ୟବସାୟିକ ଗାଡ଼ି ମାଲିକ https://parivahan.gov.in/ଏହି ଲିଙ୍କ୍ ମାଧ୍ୟମରେ ପୈଠ କରିପାରିବେ।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0